
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀର ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ ଆଜି ଅର୍ଚ୍ଚନା ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି। ଅର୍ଚ୍ଚନା ନାଗଙ୍କ ସମେତ ମୋଟ ୪ ଜଣଙ୍କ ନାଁରେ ମାମଲା ମାମଲା ରୁଜୁ ହୋଇଛି। ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଇଡି ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ତେବେ ଆଗକୁ ତଦନ୍ତ ତ୍ଵରାନିତ ହେବା ସହିତ ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ନୋଟିସ୍ କରିବ ଇଡି। ଏପରିକି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ କରିବ ଇଡି।
ସୂଚନା ଅନୁସାରେ, ଅର୍ଚ୍ଚନା ନାମରେ ରାଜଧାନୀର ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନାରେ ଦାୟର ହୋଇଥିବା ଏତଲା ଆଧାରରେ ଆଜି ମାମଲା ରୁଜୁ କରିଛି ଇଡି। କିଛି ଦିନ ପୂର୍ବରୁ ଅର୍ଚ୍ଚନା ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାର ତଦନ୍ତରେ ଏଣ୍ଟ୍ରି ମାରିଥିଲା ଇଡି। ଇଡି ପକ୍ଷରୁ ଉଭୟ ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନାରେ ଦାୟର ହୋଇଥିବା ଏତଲାର କପି ମଧ୍ୟ ମଗାଯାଇଥିଲା। ଆଜି ଏହାକୁ ନେଇ ଇଡି ମାମଲା ରୁଜୁ କରିଥିବା ସୂଚନା ମିଳିଛି। ତେବେ ଇଡିର ତଦନ୍ତ ଆଗକୁ ବଢିବା ସହିତ ଏହି ମାମଲାରେ ଅଧିକ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।