ତାଲିବାନୀଙ୍କ ବର୍ବରକାଣ୍ଡ : ସ୍ୱାମୀ ଓ ପୁଅଙ୍କ ସାମ୍ନାରେ ଗର୍ଭବତୀ ମହିଳା ପୋଲିସ୍ ଅଧିକାରୀଙ୍କୁ ଗୁଳି କରି ହତ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ବର୍ବରତାର ସୀମା ଟପିବାରେ ଲାଗିଛି। ତାଲିବାନ୍, ମହିଳା ମାନଙ୍କ ପ୍ରତି କେତେ ଭୟଙ୍କର ତାହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ପୁଲିସ୍‌ ଅଧିକାରୀଙ୍କୁ ନିଜ ପୁଅ ଓ ସ୍ୱାମୀ ଆଗରେ ଗୁଳି କରି ହତ୍ୟା କରି ଦେଇଛନ୍ତି ତାଲିବାନୀ । ମହିଳା ଅଧିକାରୀ ଜଣକ ଛାଡ଼ି ଦେବାକୁ ଯେତେ ନେହୁରା ହୋଇଥିଲେ ବି ତାଲିବାନୀ ଟିକିଏ ବି ଦୟା ଦେଖାଇ ନଥିଲା। ଆଫଗାନିସ୍ତାନର ଘୋର୍ ପ୍ରୋଭିଜନ୍‌ର ଫିରୋଜ  ଅଞ୍ଚଳରେ କାର୍ଯ୍ୟରତ ମହିଳା ପୁଲିସ୍ ଅଧିକାରୀ ନିଗାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନୀ ।

ଏକ ଆଫଗାନି ପତ୍ରିକାର ରିପୋର୍ଟ ଅନୁଯାୟୀ,  ନିଗାରଙ୍କର ଏକ ପୁଅ ଥିଲା ଏବଂ ସେ ୬ ମାସର ଗର୍ଭବତୀ ଥିଲେ । ଏହାସତ୍ତ୍ୱେ ତାଲିବାନୀମାନେ ତାଙ୍କୁ  ନିଜ ସ୍ୱାମୀ ଓ ପୁଅଙ୍କ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିଲେ କ୍ରୂର ତାଲିବାନୀ । କିନ୍ତୁ ମାରିବା ପଛର କାରଣ କଣ ତାହା ଜଣାପଡ଼ି ନାହିଁ। 

ତେବେ ତାଲିବାନ ଯେବେଠାରୁ ଆଫଗାନିସ୍ତାନ ଦଖଲ କରିଛି, ସେବେଠାରୁ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଉଠିଛି ପ୍ରଶ୍ନ। ତାଲିବାନୀ ଶାସନ ଫେରିବା ପରେ ସେଠାରେ ହିଜାବ ଓ ବୁର୍ଖା ବିକ୍ରି ଆକାଶଛୁଆଁ ହୋଇଛି। ଅପରପକ୍ଷରେ ଗତ କିଛିଦିନ ତଳେ ତାଲିବାନ ସରକାର ପ୍ରତିନିଧିତ୍ୱ ଦାବି କରି ମହିଳାମାନେ ଆଫଗାନିସ୍ତାନ ସଡ଼କକୁ ଓହ୍ଲାଉଛନ୍ତି।

ତାଲିବାନ କାବୁଲ ଦଖଲ କରି ସାରିଥିବା ବେଳେ ଗତ ୨୦ ବର୍ଷରେ ଆଫଗାନିସ୍ତାନରେ ମହିଳାମାନେ ଯେଉଁ ଅଗ୍ରଗତି କରିଥିଲେ ତାହା ସବୁ କିଛି ବ୍ୟର୍ଥ ହୋଇଯିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତାଲିବାନୀ ଶାସନ କାଳରେ ମହିଳାମାନଙ୍କ ଭବିଷ୍ୟତ ଅନିଶ୍ଚିତତାକୁ ଠେଲି ହୋଇଯିବ ବୋଲି ଆଶଙ୍କା ଦେଖାଦେଇଛି।

ଆଫଗାନିସ୍ତାନର ନୂଆ ପିଢ଼ି ମହିଳା ତାଲିବାନର କ୍ରୁର ଶାସନ ସମ୍ପର୍କରେ ଯେଉଁ ଭୟାନକ କଥା ଶୁଣିଥିଲେ ଏବେ ୨୦ ବର୍ଷ ପରେ ତାଲିବାନ କ୍ଷମତାକୁ ଫେରିଥିବାରୁ ଏବେ ସେହି କଷ୍ଟକୁ ଅଙ୍ଗେ ନିଭାଇବେ। ଏଥିପାଇଁ ତାଲିବାନକୁ ନେଇ ଆଫଗାନିସ୍ତାନର ମହିଳାଙ୍କ ମଧ୍ୟରେ ଭୟ ଓ ଘୃଣା ଭରି ରହିଛି।  ଜୀବନ ପ୍ରତି ଭୟ ସତ୍ତ୍ୱେ ସେମାନେ ନିଜ ସୁରକ୍ଷା ଓ ଅଧିକାର ଦାବିରେ ରାସ୍ତାକୁ ଓହ୍ଲାଇବାକୁ ପଛାଉ ନାହାନ୍ତି। ଅନେକ ଦେଶ ଛାଡ଼ି ଚାଲି ଯାଇଥିବା ବେଳେ ଆଉ କିଛି ବାହାରିବାକୁ ଚେଷ୍ଟା କରୁଛନ୍ତି। 

Related Posts