ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପିପିଇ କିଟ୍ ପିନ୍ଧି କୋଭିଡ୍ ୱାର୍ଡ଼ ପରିଦର୍ଶନ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କାଳରେ ଦିନରାତି ଏକ କରି ମହାମାରୀ ସହ ଲଢେଇ କରୁଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ। ଏହି କରୋନା ଯୋଦ୍ଧା ମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ପିପିଇ କିଟ୍ ପିନ୍ଧି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଆଜି କୋଏମ୍ବାଟୁରର ଏକ କୋଭିଡ ୱାର୍ଡ ଏବଂ ଆଇସିୟୁ ପରିଦର୍ଶନ କରିଛନ୍ତି । ଷ୍ଟାଲିନ ESI ହସ୍ପିଟାଲ କ୍ୟାମ୍ପସ ଏବଂ କୋଏମ୍ବାଟୁର ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଡିଏମକେ ମୁଖ୍ୟ ଷ୍ଟାଲିନ୍ ତାଙ୍କ ଗସ୍ତ ସମୟର ଏକ ଫଟୋ ଟ୍ୱିଟ୍ କରି କହିଛନ୍ତି ଯେ ରୋଗୀ ଏବଂ ସେମାନଙ୍କ ପରିବାର ସଙ୍ଗେସଙ୍ଗେ ନିଜ ଜୀବନକୁ ବାଜି ଲଗାଇ ଦିନରାତି କାମକରୁଥିବା ଡାକ୍ତର ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ମୁଁ କୋଭିଡ ୱାର୍ଡ ଭିତରକୁ ପ୍ରବେଶ କରିଥିଲି ।

ମୁଖ୍ୟମନ୍ତ୍ରୀ ତାମିଲରେ ଏକ ଟୁଇଟ୍‌ରେ କହିଛନ୍ତି ଯେ ମେଡିସିନ ସାଙ୍ଗକୁ ସାନ୍ତ୍ୱନା ଏବଂ ଉତ୍ସାହ ଏହି ରୋଗକୁ ଭଲ କରିବ। ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ପଦକ୍ଷେପ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ମାରାତ୍ମକ ଜୀବାଣୁ ମୁକାବିଲା ପାଇଁ ଆତ୍ମବିଶ୍ୱାସ ବଢାଇବାରେ ସାହାଯ୍ୟ କରିବ । କୋଏମ୍ବାଟୁର ହେଉଛି ତାମିଲନାଡୁର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା। ଗତ 24 ଘଣ୍ଟାରେ ଏଠାରେ 3,600 ରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିରୁପୁର, ଏରୋଡ ଏବଂ ସାଲେମ ସମେତ ପଡୋଶୀ ଜିଲ୍ଲା ଗୁଡିକରେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଷ୍ଟାଲିନ ବକ୍ତିଗତ ଭାବେ ଏହାର ସମୀକ୍ଷା କରିଛନ୍ତି।

Related Posts