ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଷ୍ଟର୍ ଲାଇଟ୍ କମ୍ପାନୀ ବିରୋଧୀଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେଲେ ତାମିଲନାଡୁ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୮ ମେ ମାସରେ ଷ୍ଟରଲାଇଟ୍ କପର କମ୍ପାନୀ ବିରୋଧରେ ତାମିଲନାଡୁରେ ଥୋଥୁକୁଡିରେ ଏକ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ  ପୁଲିସ ଗୁଳିରେ କିଛି ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାଣ ହରାଇଥିବା ଏବଂ ଗୁରୁତର ଆହତ ହୋଇଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ଷୋହଳ ଜଣଙ୍କୁ ଜୁନିଅର ଆସିଷ୍ଟାଣ୍ଟ ଏବଂ ଜଣଙ୍କୁ ଜିପ୍ ଡ୍ରାଇଭର ଭାବରେ ନିଯୁକ୍ତି ଦିଆଯାଇଛି। ସେମାନେ ଥୋଥୁକୁଡି ଜିଲ୍ଲାର ରାଜସ୍ୱ ଏବଂ ଗ୍ରାମୀଣ ବିକାଶ ବିଭାଗରେ ଏବେ କାର୍ଯ୍ୟ କରିବେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଙ୍କ ସମେତ ତାଙ୍କ କ୍ୟାବିନେଟ୍ ସହଯୋଗୀ ପି ଥିଗା ରାଜନ, ମୋୟର୍ଥୀ ଏବଂ ପେରିଆକାରୁପାନ୍ ଉପସ୍ଥିତ ଥିଲେ।  ଏହା ସହ ଥୋଥୁକୁଡି ସାସଂଦ କାନିମୋଜି ଏବଂ ମଦୁରାଇ ସାସଂଦ  ସୁ ଭେଙ୍କଟେସନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ୨୦୧୮ ମେ ୨୨ ତାରିଖରେ ଥୋଥୁକୁଡିରେ ଷ୍ଟରଲାଇଟ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନର ୧୦୦ ଦିନରେ ହିଂସାକାଣ୍ଡ ହୋଇଥିଲା। ଏହି ହିଂସାକାଣ୍ଡ ଘଟଣାରେ ପୋଲିସ ଗୁଳିରେ ଅତି କମରେ ୧୩ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ତାମିଲନାଡୁ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ (TNPCB) ନିୟମ ଉଲ୍ଲଂଘନ ଅଭିଯୋଗରେ ଷ୍ଟରଲାଇଟ କପର ସ୍ମେଲଟର କାରଖାନାକୁ ସିଲ୍ କରାଯାଇଥିଲା। ଏହି ଘଟଣାରେ ତାମିଲନାଡୁ ସରକାର ଅବସରପ୍ରାପ୍ତ ଜଷ୍ଟିସ ଅରୁଣା ଜଗଦେସନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଘଟଣାର ଯାଞ୍ଚ କରିଥିଲେ। କମିଟି ନିକଟରେ ଏହି ଘଟଣାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ନିକଟରେ ଦାଖଲ କରିଥିଲେ।  ୨୦୧୮ ମେ ମାସରେ ବନ୍ଦ ହୋଇଯାଇଥିବା ଏହି କମ୍ପାନୀକୁ ଏବେ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇଛି। କାରଣ COVID-19 ମହାମାରୀ ହେତୁ ଦେଖାଦେଇଥିବା ମେଡିକାଲ ଅମ୍ଳଜାନର ଅଭାବ ଦୂର କରିବା ପାଇଁ ପ୍ଲାଣ୍ଟ କୁ ପୁଣି ଥରେ ଚାଲୁ କରିବା ପାଇଁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବୀମା କର୍ମଚାରୀ କଲ୍ୟାଣ ସଂଘର କର୍ମଚାରୀ ମାନେ ତାଙ୍କ ଚାକିରି ସ୍ଥାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ଙ୍କୁ ନିବେଦନ କରିଥିଲେ। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଦ୍ବାରା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ବୀମା ଯୋଜନାରେ ବିଗତ ୧୧ ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି।

Related Posts