ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏୟାର ଇଣ୍ଡିଆର ଅଧ୍ୟକ୍ଷ ହେଲେ ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ । ତେବେ ୟାର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ବୋର୍ଡ ବୈଠକରେ ଏନ୍ ଚନ୍ଦ୍ରଶେଖରନଙ୍କୁ କମ୍ପାନିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ହେଲେ ଏବେ ବି ଏୟାର ଇଣ୍ଡିଆର ସିଇଓ ପଦ ଖାଲି ରହିଛି। ତୁର୍କୀ ଏୟାରଲାଇନ୍ସର ପୂର୍ବତନ ସିଇଓ ଇଲକର ଆଇସି ଏୟାର ଇଣ୍ଡିଆର ନୂଆ ସିଇଓ ନିଯୁକ୍ତିକୁ ପ୍ରତ୍ୟଖ୍ୟାନ କରିବା ପରେ ଏବେ ଏୟାର ଇଣ୍ଡିଆ ଏକ ନୂଆ ସିଇଓ ଖୋଜୁଥିବା ଜଣାପଡ଼ିଛି। ଏନ ଚନ୍ଦ୍ର ଶେଖରନ ଟାଟା ସନ୍ସର ମୁଖ୍ୟ ହୋଇଥିବା ବେଳେ ଟାଟା ଦ୍ୱାରା ପରିଚାଳିତ ୧୦୦ରୁ ଅଧିକ କମ୍ପାନୀର ପ୍ରମୋଟର ଭାବେ କାର‌୍ୟ୍ୟ କରୁଛନ୍ତି।

ସେ ଟାଟା ସନ୍ସ ବୋର୍ଡରେ ୨୦୧୬ ମସିହା ଅକ୍ଟୋବର ମାସରେ ଯୋଗଦେଇଥିଲେ। ଏହାପରେ ୨୦୧୭ ଜାନୁଆରୀରେ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଟାଟା ଷ୍ଟିଲ, ଟାଟା ମୋଟର୍ସ, ଟାଟା ପାୱାର ଓ ଟାଟା କନଲଟାନ୍ସି ସର୍ଭିସ(ଟିସିଏସ) ଭଳି ଏକାଧିକ ଗ୍ରୁପ ଅପରେଟିଂ କମ୍ପାନୀର ବୋର୍ଡରେ ସେ ସଦସ୍ୟ ରହିଛନ୍ତି। ସେ ଦୀର୍ଘ ୩୦ ବର୍ଷ ଟିସିଏସ୍‌ରେ ବ୍ୟବସାୟିକ କ୍ୟାରିୟର ସମ୍ପାଦନ କରିବା ପରେ ସେ ଅଧ୍ୟକ୍ଷ ପଦ ପାଇଥିଲେ। ସେ ଟିସିଏସ୍‌ରେ ସିଇଓ ଓ ପରେ ଏମଡି ରାଙ୍କକୁ ପଦନ୍ନୋତି ପାଇଥିଲେ।