୨୪ ବର୍ଷ ପରେ ସାମ୍ନାକୁ ଆସିଲା ଶିକ୍ଷକଙ୍କ ନିଯୁକ୍ତି ଘୋଟାଲା : ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତିରେ ବଡ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ତେବେ ଦୀର୍ଘ ୨୪ ବର୍ଷ ପରେ ଏହି ଘୋଟାଲାର ପର୍ଦ୍ଦାଫାସ ହୋଇଛି। ତେବେ ଗୋଟେ କି ଦୁଇଟି ନୁହେଁ ଵରଂ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଥିବା ଅଭିଯୋଗ ହୋଇଛି । ଆରଟିଆଇ ଜରିଆରେ ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବେଆଇନ୍‌ ଭାବେ ନିଯୁକ୍ତି ଦିଆଯାଇଛି ‌। ବର୍ତ୍ତମାନ ସେମାନଙ୍କୁ ରେଗୁଲାର କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛି। ଏହି ମାମଲାକୁ ସମ୍ବଲପୁର କୋର୍ଟ ଗୁରୁତର ସହ ନେଇ ଟାଉନ୍ ଥାନାକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୬ରୁ ୧୯୯୯ ମସିହା ମଧ୍ୟରେ ଶିକ୍ଷକ ନିଯୁକ୍ତିରେ ବଡ ଧରଣର ଘୋଟାଲା ହୋଇଥିବା ଖବର ସମ୍ବଲପୁର ଜିଲ୍ଲାରୁ ଏବେ ସାମ୍ନାକୁ ଆସିଛି। 

ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲେଖାଯାଇଥିବା ଏକ ନିର୍ଦ୍ଦେଶନାମାରେ ଏଭଳି କିଛି ଘଟଣା ଏବେ ବିବାଦୀୟ ବିଷୟ ପାଲଟିଛି  । ଏହି ନିର୍ଦ୍ଦେଶନାମାରେ ଅନିୟମିତତା ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ କୁହାଯାଇଛି। ଏଥିରେ ୪୪ ଜଣ ଶିକ୍ଷକଙ୍କ ନାଁ ଉଲ୍ଲେଖ ରହିଛି। 

‌ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ , ତତ୍କାଳୀନ ସମ୍ବଲପୁର ସିଆଇ କେସି ଗୁରୁଙ୍କ କାର୍ଯ୍ୟକାଳ ସମୟରେ ବେଆଇନ୍‌ ଭାବେ ନିଯୁକ୍ତ ହୋଇଥିବା ଶିକ୍ଷକ ମାନଙ୍କୁ ନିୟମିତ କରାଯାଉ। ଆରଟିଆଇ ଜରିଆରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏହି ନିର୍ଦ୍ଦେଶ ମିଳିବା ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ? 

ଯଦି ଶିକ୍ଷକଙ୍କ ନିଯୁକ୍ତିରେ ଘୋଟାଲା ହୋଇଛି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିୟମିତ କରାଯିବ କାହିଁକି ? ଯଦି, ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି , ତାହାଲେ କାହିଁକି ଏହାକୁ ଲୁଚାଉଛି ବିଭାଗ ? 

ଆରଟିଆଇ ଉତ୍ତର ଅନୁଯାୟୀ, ଅବିଭକ୍ତ ସମ୍ବଲପୁର ଜିଲ୍ଲାର ମାତ୍ର ଦୁଇଟି ବ୍ଲକରୁ ଏହି ୪୪ ଜଣ ଶିକ୍ଷକଙ୍କ ତାଲିକା ହସ୍ତଗତ ହୋଇଛି। ଅଭିଯୋଗ ହୋଇଛି ଯେ, ଶହ ଶହ ଶିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ଯାହାକୁ ଖୋଦ୍ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱୀକାର କରିଛନ୍ତି। 

ଅପରପକ୍ଷରେ ଅଭିଯୋଗକାରୀ ଏହି ଘୋଟାଲା ସମ୍ପର୍କରେ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ତ ହେବା ପରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି କୋର୍ଟ। ଚଳିତ ମାସ ୨୪ ସୁଦ୍ଧା ତଦନ୍ତ ରିପୋର୍ଟ କୋର୍ଟକୁ ଦେବାକୁ ସମ୍ବଲପୁର ଟାଉନ୍ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିବା ପରେ ଏବେ ଘଟଣାର ଯାଞ୍ଚ କରି FIR ଦେବାକୁ କୁହାଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି। 

ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି ଯେ, ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ ଆଗକୁ ତଦନ୍ତ ଆହୁରି କଡ଼ାକଡ଼ି କରାଯିବ ।

Related Posts