ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଓ ଅଳଙ୍କାର ଲୁଟ ଉଦ୍ୟମ ପଣ୍ଡ : ଲୁଟେରାକୁ କାବୁ କଲେ କଲୋନି ପିଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଫେଲ ମାରିଲା ବଡ ଧରଣର ବ୍ୟାଙ୍କ ଲୁଟ ଉଦ୍ୟମ । ଲୁଟେରାକୁ କାବୁ କରିବା ସହ ନିସ୍ତୁକ ମାଡ ମାରି ପୋଲିସ ହାତରେ ଜିମା ଦେଲେ ସ୍ଥାନୀୟ ଲୋକେ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅଟଳଗଡ଼ା ପଞ୍ଚମୁଖୀ ଆପାର୍ଟମେଣ୍ଟ ପରିସରରେ ଥିବା ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଏକ ବଡ଼ଧରଣର ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ବ୍ୟାଙ୍କ ପିଅନକୁ ଛୁରି ଭୁସି ଆହତ କରିବା ସହ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରାଇ ଜଣେ ଲୁଟେରା ବ୍ୟାଙ୍କରୁ ୮ ଲକ୍ଷ ୬୩ ହଜାର ୫୮ ଟଙ୍କା ଏବଂ ପ୍ରାୟ ୮ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିଲା। 

ପୋଲିସ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା, ସୁନା ଅଳଙ୍କାର ସହ ଖେଳନା ବନ୍ଧୁକ ଓ ଛୁରୀ ଜବତ କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ସଂଧ୍ୟା ପ୍ରାୟ ୫ଟା ବେଳେ ସ୍ଥାନୀୟ ଅଞ୍ଚଳର ଲୁଟେରା ଉମାଶଙ୍କର ପରିଡ଼ା ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ ଭିତରେ ପଶି ପ୍ରଥମେ ବ୍ୟାଙ୍କର ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରୀରେ ଆକ୍ରମଣ କରିବା ସହ ବ୍ୟାଙ୍କ କର୍ମଚାରୀମାନଙ୍କୁ ଖେଳନା ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । ଯଦି କେହି ପାଟି କରନ୍ତି, ତେବେ ଗଙ୍ଗାଧରଙ୍କୁ ଜୀବନରୁ ମାରିଦେବ ବୋଲି ଧମକାଇଥିଲା। ଏହାପରେ ଉମା ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ସେ ରେକର୍ଡ ରୁମ୍‌ ଭିତରେ ପୂରାଇ ବାହାର ପଟୁ ବନ୍ଦ କରିଦେଇଥିଲା।

ଏହାପରେ କ୍ୟାସିୟର୍‌ଙ୍କ କ୍ୟାସ ଡ୍ର’ରେ ଥିବା ଟଙ୍କା ଓ ଗହଣାକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ବ୍ୟାଙ୍କ ଭିତରୁ ବାହାରି ଯାଇଥିଲା। ତେବେ ବ୍ୟାଙ୍କ କର୍ମଚାରୀମାନେ ଚୋର ଚୋର ବୋଲି ପାଟି କରିବାରୁ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ଯୁବକମାନଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇ ଦେଇଥିଲେ। ବ୍ଯାଙ୍କ କର୍ମଚାରୀ ମାନଙ୍କ ପାଟି ଶୁଣି ଆପାର୍ଟମେଣ୍ଟ କ୍ଯାମ୍ପସରେ ଖେଳୁଥିବା କିଛି ଯୁବକ ଓ ଜଗନ୍ନାଥପୁର ଗ୍ରାମର ଯୁବକମାନେ ମିଳିତ ଭାବେ ସ୍ଥାନୀୟ ଲୁଟେରା ଉମାକୁ ପିଛା କରିଥିଲେ । 

ଉମା ସମସ୍ତଙ୍କୁ ଚକମା ଦେଇ କାଦୁଅ ବିଲ ଭିତରେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଯୁବକମାନେ ତାକୁ ଘେରି କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇଥିଲେ । ଏହା ପରେ ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ୍‌ ବିଶ୍ବାଳ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ଥାନାକୁ ନେଇଥିଲେ । ଛୁରାମାଡ଼ରେ ଆହତ ହୋଇଥିବା ଗଙ୍ଗାଧରଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପରେ ପୁଲିସ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ଏ ସଂପର୍କରେ ପଚରାଉଚରା ଚଳାଇଛି ।

Related Posts