ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି; ବିଜେଡି, ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି । ଇଟ୍ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ବ୍ୟଙ୍ଗାତ୍ମକ ଟୁଇଟି କରି ସମ୍ବିତ ପାତ୍ର ଲେଖିଛନ୍ତି ଯେ, ଏକାକୀ ଶ୍ରେୟ ନେବା ପରିବର୍ତ୍ତେ ପୁରୀ ମେଡିକାଲ କଲେଜର ଉଦଘାଟନ ପାଇଁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସେ ଆଶା କରୁଛନ୍ତି । ଯାହା ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ମନ୍ତ୍ରକୁ ସାକାର କରିବ ।
ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ରଙ୍କ ଏଭଳି ଟିପ୍ପଣୀ ପଛରେ ଥିବା କାରଣକୁ ଗୁଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏକ ପତ୍ର ଲେଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କ କରାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଥିରେ କୁହାଯାଇଥିଲା ଯେ, କେନ୍ଦ୍ରୀୟ ଅନୁଦାନରେ ହସ୍ପିଟାଲ ପ୍ରତିଷ୍ଠା ହେଉଥିଲେ କିମ୍ବା ଜିଲ୍ଲା ହସ୍ପିଟାଲର ବିକାଶ କରାଯାଉଥିଲେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ । କେନ୍ଦ୍ରୀୟ ଅନୁଦାନରେ ଏହା କରାଯାଉଥିବାରୁ ଶିଳାନ୍ୟାସ କିମ୍ବା ଉଦଘାଟନୀ ଉତ୍ସବକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ବାଧ୍ୟତାମୂଳକ ।

ତେବେ ଆସନ୍ତାକାଲି ପୁରୀ ମେଡିକାଲ କଲେଜର ଉଦଘାଟନ ବେଳେ କେନ୍ଦ୍ରୀୟ ପ୍ରତିନିଧି ଉପସ୍ଥିତ ରହିବେ କି ନାହିଁ ତାହା ଜଣା ପଡିନାହିଁ । ଏହା ପୂର୍ବରୁ ଟୁଇଟି କରି ରାଜ୍ୟ ସରକାରଙ୍କୁ ବ୍ୟଙ୍ଗାତ୍ମକ ଆକ୍ଷେପ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା- ପିଏମଏସଏସୱାଇରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକାଶ କରାଯାଇଛି । ରୋଗୀ ଚିକିତ୍ସା ପାଇଁ ଏହାକୁ ମେଡିକାଲ କଲେଜ ସହ ମଧ୍ୟ ସଂଯୋଗ କରାଯାଇଛି । ଅବଶ୍ୟ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ବଜେଟ ବନ୍ଦୋବସ୍ତ କରିଛନ୍ତି । କିନ୍ତୁ କେନ୍ଦ୍ରୀୟ ଅନୁଦାନ ବିନିଯୋଗ ହୋଇଥିବାରୁ ଏଭଳି କହିଥାଇ ପାରନ୍ତି ସମ୍ବିତ ପାତ୍ର । ତେବେ ଆସନ୍ତା ଶିକ୍ଷାବର୍ଷରୁ ଏଠାରେ ଏମବିବିଏସ ପଢିବା ପାଇଁ ୧୦୦ ଜଣ ଛାତ୍ରଛାତ୍ରୀ ମାନ ଲେଖାଇଛନ୍ତି । କାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ଅବସରରେ ଏହି ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି ।

ଅନ୍ୟପଟେ ଶ୍ରେୟ ରାଜନୀତିକୁ ନେଇ ସମ୍ବିତ ପାତ୍ରଙ୍କ ଟ୍ୱିଟ୍ ପରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । କେନ୍ଦ୍ର ମନ୍ତ୍ରୀଙ୍କୁ ପୁରୀ ମେଡିକାଲ ଉଦଘାଟନୀ ଉତ୍ସବକୁ ନଡାକିବା ଅସୌଜନ୍ୟ ବୋଲି କହିଛନ୍ତି ବିଜେପି ନେତା । ସେପଟେ ଶ୍ରେୟ ରାଜନୀନତିକୁ ଅସ୍ୱୀକାର କରିଛନ୍ତି ବିଜେଡି ନେତା । ଏ ଘଟଣା ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts