ବିଲକିସ୍‌ ବାନୋ ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକ୍ତ କରିବା ଉପରେ ପ୍ରଶ୍ନ ଉଠାଇଲେ ତେଲେଙ୍ଗାନାର ଆଇଏଏସ ସ୍ମିତା ସବରୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ସରକାରଙ୍କ ଦ୍ଵାରା ବିଲକିସ୍‌ ବାନୋଙ୍କ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ ନିଜର ଅସନ୍ତୋଷ ବଖାଣିଛନ୍ତି ତେଲେଙ୍ଗାନାର ମହିଳା ପ୍ରଶାସନିକ ଅଧିକାରୀ ସ୍ମିତା ସବରୱାଲ। ସ୍ମିତା ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଥମେ ସ୍ମିତା ଅଗଷ୍ଟ ୧୮ ତାରିଖ ଦିନ ଖବରକାଗଜର ଏକ କାର୍ଟୁନ୍ ସେୟାର କରି ଏହି ଘଟଣାରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର କିଛି ସମୟ ପରେ ପୁଣି ଥରେ ସ୍ମିତା ସୋସିଆଲ ମିଡିଆରେ ଲେଖିଥିଲେ ଯେ, “ଜଣେ ମହିଳା ଓ ସରକାରୀ କର୍ମଚାରୀ ଭାବରେ ମୁଁ ବିଲକିସ୍‌ ବାନୋ ଦୋଷୀଙ୍କୁ ମୁକ୍ତ କରାଯିବା ଖବର ଶୁଣି ନିଜକୁ ବିଶ୍ୱାସ କରିପାରୁ ନାହିଁ। ଆମେ ନଜାକୁ ଏକ ମୁକ୍ତ ରାଷ୍ଟ୍ର କହୁଥିବା ବେଳେ, କିପରି ପୁଣି ଥରେ ଜଣଙ୍କର ଭୟମୁକ୍ତ ଭାବରେ ନିଃଶ୍ୱାସ ନେବାର ଅଧିକାରକୁ ଛଡାଇନେଇ ପାରିବା।” ତେବେ ସ୍ମିତା ନିଜର ଆଉ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ସାହିର ଲୁଧିଆନଭିଙ୍କ ଏକ ସାୟରୀ “ଜିହ୍ନେ ନାଜ୍ ହୈ ହିନ୍ଦ୍ ପର ବୋ କାହା ହୈ ?” (ଦେଶ ପାଇଁ ଗର୍ବିତ ଲୋକ କେଉଁଠାରେ ଅଛନ୍ତି?) ଲେଖି ଏହି ଘଟଣା ଉପରେ ପ୍ରଶ୍ନ ଉଠାଇ ଥିଲେ।

ତେବେ ତେଲେଙ୍ଗାନା ରେ ଶାସକ ‘ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି’ ସରକାରଙ୍କର ଅତି ନିକଟ ତର କୁହାଯାଉଥିବା ଆଇଏଏସ ସ୍ମିତା ସବରୱାଲ ଏହି ଘଟଣାକୁ ନେଇ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନିଜର ସର୍ଭିସ ବହିର କିଛି ଫଟୋ ସେୟାର କରି ଏହି ଘଟଣାରେ କିପରି ଭାବରେ ଜଣକର ବାକ ସ୍ଵାଧୀନତା ଅଧିକାର ଓ ଜଣେ ନାରୀର ସ୍ଵାଧୀନ ଭାବରେ ବାହାରେ ବୁଲିବାର ଅଧିକାର କ୍ଷୁଣ ହେଉଛି ତାହା ପ୍ରକାଶ କରିଛନ୍ତି। ତେବେ ସ୍ମିତାଙ୍କର ଲଗାତାର ଭାବରେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇବା ଓ ସମାଲୋଚନା କରିବାକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଇଛି। ଏହା ସହିତ ବହୁ ସୋସିଆଲ ମିଡ଼ିଆ ବ୍ୟବହାରକାରି ସ୍ମିତାଙ୍କ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି। ତେବେ ଏହି ଦୋଷୀ ମାନଙ୍କୁ ସରକାର ମୁକ୍ତ କରିବା ପରେ ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି।

Related Posts