ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋଷ ସେନାର ଗୁଳିମାଡ଼ରେ ୟୁକ୍ରେନର ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ । ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପରକୁ କାହିଁକି ରୁଷ ସେନା ଗୁଳି ଚଳାଇଲା, ସେକଥା ଜଣାପଡ଼ିନି। ଏହାକୁ ନେଇ ପୂରା ସେଭାରୋଡୋନେସ୍କିରେ ଭୟବର ବାତାବରଣ ଦେଖିବାକୁ ମିଳିଛି। ଏହାପୂର୍ବରୁ ସୁମୀରେ ମଧ୍ୟ ରୁଷ ଏୟାର ଷ୍ଟ୍ରାଇକ କରିଥିଲା।

ଏଥିରେ ୟୁକ୍ରେନର ୧୬ ବର୍ଷୀୟ ମାର୍ଶଲ ଆର୍ଟ ଚାମ୍ପିୟନ ଆର୍ଟୟୋମ ପ୍ରୟିମେଙ୍କୋ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି। ସେପଟେ ୟୁକ୍ରେନ ସେନା ଦାବି କରିଛି ଯେ ଯୁଦ୍ଧରେ ଏପର୍ୟ୍ୟନ୍ତ ୧୨,୦୦୦ ରୁ ଅଧିକ ରୁଷ ସୈନ୍ୟ ମୃତ୍ୟୁବରଣ କରିଛନ୍ତି। ତେବେ ୧୪ଦିନ ବିତିଯାଇଥିଲେ ବି ୟୁକ୍ରେନ୍କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନଥିବାରୁ ୟୁକ୍ରେନ୍ର ‘ନାଟୋ’ ସଦସ୍ୟତା ପାଇଁ ଆଉ ଜିଦ୍ କରିବି ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି।