ମତଦାନ ପୂର୍ବରୁ ଭଦ୍ରକ ଧାମନଗରରେ ଉତ୍ତେଜନା, ବୁଥରୁ ବାଲଟ ପେପର ଛଡାଇ ନେଲେ ଦୁର୍ବୁତ୍ତ

ଆଜି ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ଶେଷ ପର୍ଯ୍ୟାୟରେ ଆଜି ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ହେଉଛି । ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।

କିନ୍ତୁ ଭଦ୍ରକ ଧାମନଗରରେ ମତଦାନ ଆରମ୍ଭରୁ ଉତ୍ତେଜନା ଦେଖାଦେଇଛି । ଶାନ୍ତି ଶୃଙ୍ଖଳାରେ କିଛି ସମୟ ମତଦାନ ଚାଲିଥିବା ବେଳେ ଏବେ କଟସାହିର ୧ନଂ ବୁଥରେ ମତଦାନ ବନ୍ଦ ରହିଛି ।

ସୂଚନାନୁସାରେ, କିଛି ଦୁର୍ବୃତ୍ତ ବୁଥରୁ ବାଲଟ ପେପର ଛଡାଇ ନେଇଯାଇଛନ୍ତି । ଏଥି ସହିତ ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ ମାରିଥିବା ଅଭିଯୋଗ ହେଉଛି । ତେବେ ଘଟଣାସ୍ଥଳରୁ ପୋଲିସ ୨ଜଣଙ୍କୁ ଉଠାଇନେଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମତଦାନ ବନ୍ଦ ରଖାଯାଇଛି ।

Related Posts