ଆଜି ସରିବ ପଞ୍ଚାୟତର ମହାପର୍ବ: ଆରମ୍ଭ ହୋଇଯାଇଛି ଶେଷ ପର୍ଯ୍ୟାୟ ମତଦାନ

ଆଜି ସରିବ ପଞ୍ଚାୟତର ମହାପର୍ବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ | ଏନେଇ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା | ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନର ୯୭୫ଟି ପଞ୍ଚାୟତର ୧୩,୫୧୪ଟି ବୁଥ୍‌ରେ ଭୋଟ ଦେଉଛନ୍ତି ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ମତଦାତା । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ । ଏହାପରେ ଭୋଟବାକ୍ସକୁ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ ।

ମୋଟ ୮୫୩ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ଶେଷ ପର୍ଯ୍ୟାୟରେ ୧୩୧ଟି ଜୋନରେ ଭୋଟ ପଡୁଛି । ପଞ୍ଚମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରୁଥିବା ୫୨୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସେହିପରି ପ୍ରାୟ ଏକ ଦଶନ୍ଧି ପରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ମତଦାନ ଚାଲିଛି । ଏଥର ସ୍ବାଭିମାନ ଅଞ୍ଚଳର ୫ଟି ପଞ୍ଚାୟତର ୧୦୬ଟି ବୁଥରେ ମତଦାନ କରୁଛନ୍ତି ମତଦାତା |ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।

ପୂର୍ବ ୪ଟି ପର୍ଯ୍ୟାୟରେ ବହୁ ସ୍ଥାନରେ ହିଂସା, ଅନିୟମିତତା ଦୃଷ୍ଟିରୁ ଶେଷ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା ହୋଇଛି |

Related Posts