ଶ୍ରୀଲଙ୍କାରେ ଭୟଙ୍କର ପରିସ୍ଥିତି: ଖାଦ୍ୟ ଓ ପାନୀୟର ଘୋର ଅଭାବ

ଶ୍ରୀଲଙ୍କା : ଶ୍ରୀଲଙ୍କାର ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି | ଖାଦ୍ୟ ଓ ପାନୀୟକୁ ନେଇ ଏବେ ଏଠାରେ ଘୋର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଖାଇବାକୁ କିଛି ନଥିବା ବେଳେ, ପିଇବାକୁ ମଧ୍ୟ ପାଣି ନାହିଁ | ଚାଉଳ, ଡ‌ାଲିର ଘୋର ଅଭାବ। ଡିଜେଲ ଟାଙ୍କି ବନ୍ଦ। ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି। ରନ୍ଧନ ଗ୍ୟାସ ନାହିଁ, କିରୋସିନ ବି ମିଳୁନି। ଦିନକୁ ୧୦ ଘଣ୍ଟା ବିଜୁଳି କାଟ୍। ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ। ଲୋକମାନେ ଚାକିରି ହରାଇ ବେକାର। ଲୋକ ଏବେ ଦେଶ ଛାଡ଼ିବା ଆରମ୍ଭ କରିଦେଇଛନ୍ତି।

ସରକାରଙ୍କ ଟିକସ କାଟ୍ ନୀତି ଯୋଗୁଁ ଶ୍ରୀଲଙ୍କାର ଅର୍ଥନୈତିକ ପରିସ୍ଥିତି ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା। ଏହା ସାଙ୍ଗକୁ କୋଭିଡ୍ ସଂକ୍ରମଣ ଏବଂ ଲକଡାଉନ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଅର୍ଥନୀତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ରାଜସ୍ବର ମୁଖ୍ୟ ସୂତ୍ର କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିଛି। ବିଦେଶୀ ମୁୁଦ୍ରା ଭଣ୍ଡାର ଖାଲି ପଡ଼ିଥିବାରୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଆମଦାନୀ ହୋଇପାରୁ ନାହିଁ। ଅତ୍ୟ‌ାବଶ୍ୟକ ସାମଗ୍ରୀର ଘୋର ଅଭାବ। ଯାହା ମିଳୁଛି, ତାହାର ଦାମ୍ ଆକାଶଛୁଅ‌ାଁ। ଯେଉଁ ଚା’ କପ୍‌ର ଦାମ ଗତ ଅକଟୋବର ମାସରେ ୨୫ ଟଙ୍କା ଥିଲା, ତାହାର ମୂଲ୍ୟ ଏବେ ଶହେ ଟଙ୍କାରେ ଯାଇ ପହଞ୍ଚିଲାଣି।

ଔଷଧ ବି ମିଳୁନି। ଯାହା ମିଳୁଛି ତାର ଦାମ ଏତେ ଅଧିକ ଯେ ଲୋକ କିଣିବାକୁ ସମର୍ଥ ନୁହନ୍ତି। ସାଧାରଣ ଲୋକ ଏବେ ଦେଶୀ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି, ଯାହାକି ସ୍ବାସ୍ଥ୍ୟାବସ୍ଥାକୁ ବିଗାଡ଼ି ଦେଇଛି। ହସ୍ପିଟାଲଗୁଡ଼ିକରେ ସର୍ଜରୀ ମଧ୍ୟ ବନ୍ଦ ହୋଇଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଯୋଗୁଁ ହାହାକାର ସୃଷ୍ଟି ହୋଇଛି।

ଅନେକ ନଦୀ ଶୁଖିଯାଇଛି। କୋଇଲାର ବି ଗୁରୁତର ସଙ୍କଟ। ଫଳରେ ବିଦ୍ୟୁତ ଉତ୍ପାଦନ ବନ୍ଦ। ଦିନକୁ ୧୦ ଘଣ୍ଟା ପାଇଁ ବିଦ୍ୟୁତ କାଟ ହେଉଛି। ଡିଜେଲ ଓ ବିଜୁଳି ସଙ୍କଟ ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ଠପ୍ ହୋଇଯାଇଛି। ଏଭଳି ସଙ୍କଟ ଯୋଗୁଁ ଅନେକ ଲୋକ ଦେଶ ଛାଡ଼ି ପଳାଇବା ଆରମ୍ଭ କରିଛନ୍ତି। ଅନେକ ଲୋକ ଭାରତ ପଳାଇ ଆସିଛନ୍ତି। ସ୍କୁଲ କଲେଜ ମଧ୍ୟ ବନ୍ଦ ପଡ଼ିଛି। କାଗଜ ଓ କାଳିର ଅଭାବ ଯୋଗୁଁ ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷାକୁ ବାତିଲ କରିଦେଇଛନ୍ତି ଶ୍ରୀଲଙ୍କା ସରକାର।

ଗତ ଦୁଇବର୍ଷରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ ହ୍ରାସ ପାଇ ୨.୩୧ ବିଲିୟନ ଡଲାରରେ ପହଞ୍ଚିଛି। ଫଳରେ ଖାଦ୍ୟ, ତୈଳ ପ୍ରଭୃତି ଅତ୍ୟାବଶ୍ୟକ ଜିନିଷ ବିଦେଶରୁ ଆମଦାନି କରିବା ପାଇଁ ବିଦେଶୀ ମୁଦ୍ରାର ଅଭାବ ପଡ଼ୁଛି। ବଣିକମାନେ ଜରୁରୀ ଜିନିଷ ଆମଦାନି କରିପାରୁ ନାହାନ୍ତି।

ପର୍ଯ୍ୟଟନରୁ ଦେଶକୁ ବହୁ ପରିମାଣର ବିଦେଶୀ ମୁଦ୍ରା ଆସିଥାଏ। ମାତ୍ର ତାହା କୋଭିଡ୍ ଯୋଗୁ ବରବାଦ। ତା’ଛଡ଼ା ବିଦେଶରେ ଚାକିରି କରିଥିବା ଶ୍ରୀଲଙ୍କା ନାଗରିକମାନେ ଦେଶକୁ ଯେଉଁ ବିଦେଶୀ ମୁଦ୍ରା ପଠାଇ ଦେଶର ଅର୍ଥନୀତିକୁ ସାହାଯ୍ୟ କରିଥାନ୍ତି, ତା’ର ପରିମାଣରେ ମଧ୍ୟ ଦ୍ରୁତ ହ୍ରାସ ଘଟିଲା। ବର୍ତ୍ତମାନ ଦେଶରେ ଫେବ୍ରୁଆରି ସୁଦ୍ଧା ପ୍ରାୟ ୨.୩୧ ବିଲିୟନ ଡଲାର ବିଦେଶୀ ମୁଦ୍ରା ରହିଛି। କିନ୍ତୁ ଏ ବର୍ଷର ବାକି ମାସଗୁଡ଼ିକରେ ଶ୍ରୀଲଙ୍କାକୁ ପ୍ରାୟ ୪ ବିଲିୟନ ଡଲାର ଋଣ ଶୁଝିବାକୁ ଅଛି। ତେଣୁ ଋଣ ଶୁଝିବାକୁ ମୁଦ୍ରା ନିଅଣ୍ଟ ପଡ଼ୁଥିବା ବେଳେ ଅତ୍ୟାବଶ୍ୟକ ଜିନିଷ ଆମଦାନି କରିବେ କେମିତି?

ସେପଟେ ଶ୍ରୀଲଙ୍କାର ଏହି ଦୁଖଦଃ ସମୟରେ ଭାରତ ସାହାଯ୍ୟର ହାତ ବଢ଼ାଇବା ସହ ଗତ ଜାନୁଆରି ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୦୦ ନିୟୁତ ଡଲାର ଦେବ ବୋଲି ଘୋଷଣା କରିଛି। ତା’ଛଡ଼ା ବାକିରେ ଭାରତରୁ ୫୦୦ ନିୟୁତ ଡଲାରର ତୈଳ ନେବା ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ ସହ ଚୀନ୍ ଓ ବାଂଲାଦେଶ ମଧ୍ୟ ଶ୍ରୀଲଙ୍କା କୁ ସାହାଯ୍ୟ କରିବା ନେଇ ଆଗକୁ ଆସିଛନ୍ତି | ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦୁଇ ଦେଶ ଶ୍ରୀଲଙ୍କା ସହ କଥା ହୋଇଛନ୍ତି |

Related Posts