୯ ଲୋକଙ୍କୁ ମାରିଖାଇଥିବା ମହାବଳ ବାଘକୁ ଦେଖିବାକ୍ଷଣି ହତ୍ୟା କରିବା ଲାଗି ବିହାର ସରକାରଙ୍କ ଆଦେଶ

ବଗହା: ବିହାର ଅନ୍ତର୍ଗତ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ ଆଖପାଖରେ ଥିବା ଗାଁରୁ ଶୁକ୍ରବାର ସୁଦ୍ଧା ୯ ଲୋକଙ୍କୁ ମାରି ଖାଇଛି ମହାବଳ ବାଘ । ତେବେ ଉକ୍ତ ବାଘକୁ ଦେଖିବାକ୍ଷଣି ଗୁଳିମାରି ହତ୍ୟା କରିବା ଲାଗି ବିହାର ସରକାର ଆଦେଶ ଜାରି କରିଛନ୍ତି।

ଗଣମାଧ୍ୟମକୁ ‘ଡିଏଫଓ’ କହିଛନ୍ତି, ବାଘ ଜନବସତିରେ ରହିବାକୁ ଅଭ୍ୟସ୍ତ ହୋଇଯିବା କଥା ପ୍ରମାଣିତ ହେବା ପରେ ନିୟମାନୁସାରେ ତାକୁ ମାରିବା ପାଇଁ ଆଦେଶ ଜାରି ହୋଇଥାଏ। ଗତ ତିନି ଦିନ ହେଲା ଉକ୍ତ ବାଘଟି ୪ଜଣ ଲୋକଙ୍କୁ ମାରିଛି।

ଶୁକ୍ରବାର ସକାଳେ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ ଅନ୍ତର୍ଗତ ରାଙ୍ଘିୟା ଫରେଷ୍ଟ୍‌ ରେଞ୍ଜ୍‌ ଅଞ୍ଚଳର ସିଙ୍ଘାଇ ପଞ୍ଚାୟତର ଡୁମାରି ଗାଁର ଜଣେ ୩୪ ବର୍ଷିୟ ବ୍ୟକ୍ତି ସଞ୍ଜୟ ମହାତୋଙ୍କୁ ବାଘ ମାରିଦେବା ପରେ ଉପରୋକ୍ତ ଆଦେଶ ଜାରି କରାଯାଇଛି।

ରାଜ୍ୟ ସରକାର ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି, ସାଧାରଣ ଜୀବନରେ ମୃତ୍ୟୁ ଘଟାଉଥିବା ନରଖାଦକକୁ ମାରିବା ଲାଗି ଆଦେଶ ଦିଆଯାଇଛି। ଏହି ଆଦେଶ ଜାରି କରିଛନ୍ତି ବନ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ବନ୍ୟ ସଂରକ୍ଷକ ତଥା ମୁଖ୍ୟ ବନପ୍ରାଣୀ ୱାର୍ଡେନ୍‌ ପ୍ରଭାତ କୁମାର ଗୁପ୍ତା। ପରିସ୍ଥିତି‌ ପ୍ରତି ଦୃଷ୍ଟିରୁ ନରଖାଦକକୁ ମାରିବା ଅତ୍ୟାବଶ୍ୟକ ବୋଲି ବିଚାର କରାଯାଇଛି।

ଆତ୍ମଗୋପନ କରିଥିବା ଏହି ମହାବଳ ବାଘକୁ ଠାବ କରିବା ଲାଗି ପୂର୍ବରୁ ୧୮ ଦିନ ହେବ ସନ୍ଧାନରେ ବାହାରି ଥିବା ୩୦୦ ସରକାରୀ କର୍ମଚାରୀଙ୍କ ଦଳ ବିଫଳ ହୋଇଥିଲେ। ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ର ନିର୍ଦେଶକ ନେସାମନି କେ. କହିଥିଲେ, ବାଘଟି ପ୍ରାୟ ୩ ବର୍ଷର ହେବ। ସମ୍ଭବତଃ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ରେ ଥିବା ପ୍ରାପ୍ତ ବୟସ୍କ ବାଘମାନେ ତାକୁ ଜବରଦସ୍ତି ବଣରୁ ନିକାଲି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥି‌ଲେ, ଦୀର୍ଘ ଦିନ ହେବ ଜନବସତି ନିକଟରେ ରହିବାରୁ ବାଘଟିର ଖାଦ୍ୟାଭ୍ୟାସ ପରିବର୍ତ୍ତନ ଘଟିଥାଇ ପାରେ।

ଉକ୍ତ ବାଘକୁ ମାରିବା ପାଇଁ ଶହ ଶହ ଲୋକ ଗତରାତିରେ ମଶାଲ ଓ ବନ୍ଧୁକ ଧରି ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ରେ ଅନୁସନ୍ଧାନ ଚଳାଇଥିଲେ

Related Posts