ଜମ୍ମୁ-କଶ୍ମୀରର ବଡଗାମରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ: ଘରେ ପଶି ଆଖିବୁଜା ଗୁଳିଚାଳନା, ପୋଲିସ ଅଧିକାରୀ ଓ ତାଙ୍କ ଭାଇଙ୍କ ମୃତ୍ୟୁ

ଜମ୍ମୁ: ଜମ୍ମୁ-କଶ୍ମୀରର ବଡଗାମରେ ଅଘଟଣ । ଆତଙ୍କବାଦୀମାନେ ନାରକୀୟକାଣ୍ଡ ଘଟାଇଛନ୍ତି । ଜଣେ ପୁଲିସ୍‌ ଅଧିକାରୀଙ୍କ ଘରେ ପଶି ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ପୁଲିସ୍‌ ଅଧିକାରୀଙ୍କ ସମେତ ତାଙ୍କ ଭାଇଙ୍କର ଜୀବନ ଯାଇଛି।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ କିଛି ବନ୍ଧୁକଧାରୀ ଆତଙ୍କୀ ସ୍ପେଶାଲ ପୁଲିସ ଅଫିସର(ଏସପିଓ) ଈଶଫାକ ଅହମଦ ଦରଙ୍କ ବଡଗାଡ଼ ସ୍ଥିତ ଘରେ ପଶି ଆଖିବୁଜା ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ଈଶଫାକଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ଭାଇଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଈଶଫାକଙ୍କ ଭାଇ ମଧ୍ୟ ଆଖି ବୁଜିଛନ୍ତି।
ଆଜି ଦୁଇ ଭାଇଙ୍କ ଅନ୍ତିମ ସଂସ୍କାର ବଡଗାମର ଚାଡ଼ବଗ ଗାଁରେ ଶେଷ ହୋଇଛି। ଏଥିରେ ଶହଶହ ଲୋକ ସାମିଲ ହୋଇ ଦୁଇ ଭାଇଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ଅନ୍ତିମ ଯାତ୍ରାରେ ସାମିଲ ହୋଇଥିବା ପରିବାର ଲୋକ ଘଟଣା ପରେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯିବେ ବୋଲି ଘୋଷଣା କରିଛନ୍ତି। ପରିବାରର ୩ ଜଣ ସଦସ୍ୟ ଜମ୍ମୁ-କଶ୍ମୀର ପୁଲିସ୍‌ରେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ରୀୟ କଶ୍ମୀରରେ ଦିନକୁ ଦିନ ଆତଙ୍କୀ ହମଲା ବଢ଼ିବାରେ ଲାଗିଛି। ଏହା ତୃତୀୟ ଘଟଣା । ପୁର୍ବରୁ ଚଳିତ ମାସ ଆରମ୍ଭରେ ଉପତ୍ୟକାର ୩ ଜଣ ପଞ୍ଚାୟତ ସଦସ୍ୟଙ୍କୁ ଆତଙ୍କୀମାନେ ହତ୍ୟା କରିବା ପରେ ଗତ ମଙ୍ଗଳବାର ଶ୍ରୀନଗରରେ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆତଙ୍କୀମାନେ ଗୁଳି କରି ଦେଇଥିଲେ।

Related Posts