ଇସ୍ରାଏଲର ଜନଗହଳୀପୂର୍ଣ୍ଣ ତେଲ ଅଭିଭ ସହରରେ ଆତଙ୍କବାଦୀ ଆକ୍ରମଣ: ୨ ସାଧାରଣ ଲୋକଙ୍କ ମୃତ୍ୟୁ, ୮ ଆହତ

ଇସ୍ରାଏଲ: ଇସ୍ରାଏଲର ଜନଗହଳୀପୂର୍ଣ୍ଣ ତେଲ ଅଭିଭ ସହରରେ ଆତଙ୍କବାଦୀ ଆକ୍ରମଣ | ଗୁରୁବାର ରାତିରେ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି | ଏହି ଗୁଳିମାଡରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ସେହିପରି ଘଟଣାରେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣା ପରେ ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିନେଇଛନ୍ତି। ଆଗକୁ ଆହୁରି ଆତଙ୍କୀ ହମଲାର ଆଶଙ୍କାରେ ସହରର ସବୁ ଲୋକଙ୍କୁ ଘର ମଧ୍ୟରେ ଆଶ୍ରୟ ନେବାକୁ କୁହାଯାଇଛି। ବିଭିନ୍ନ କାଫେ, ବାର ଓ ରେଷ୍ଟୁରାଣ୍ଟ ଭିତରେ ସୁରକ୍ଷାକର୍ମୀମାନେ ପଶି ଆକ୍ରମଣକାରୀକୁ ଖୋଜିବାରେ ଲାଗିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁଳିମାଡ଼ ପରେ ୧୦ ଜଣଙ୍କୁ ନିକଟସ୍ଥ ଇଚିଲୋଭ ହସ୍ପିଟାଲକୁ ନିଆଯାଇଥିଲା। ସମସ୍ତଙ୍କ ଶରୀରେ ଗୁଳିମାଡ଼ର ଚିହ୍ନ ରହିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ପୁଲିସ୍ କହିଛି ଯେ ଏହା ଗୋଟିଏ ଆତଙ୍କୀ ହମଲା। ଡିଜେନଗୋଫ ଷ୍ଟ୍ରିଟର ବିଭିନ୍ନ ସ୍ଥାନରେ ଏପରି ଆକ୍ରମଣ ହୋଇଛି। ଡିଜେନଗୋଫ ଷ୍ଟ୍ରିଟ ହେଉଛି ତେଲ ଅଭିଭର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳୀପୂର୍ଣ୍ଣ ଅଞ୍ଚଳ। ଏଠାରେ ଅନେକ କାଫେ ଓ ବାର ରହିଛି। ତେଣୁ ଏହାକୁ ଟାର୍ଗେଟ କରି ଆତଙ୍କବାଦୀ ଜଣଙ୍କ ହମଲା କରିଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ କହିଛନ୍ତି, “ଏହା ଆମ ପାଇଁ ସବୁଠାରୁ କଷ୍ଟକର ରାତି। ଯେଉଁମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ପରିବାର ଲୋକଙ୍କ ପାଇଁ ମୁଁ ଶୋକବ୍ୟକ୍ତ କରୁଛି। ଆହତଙ୍କ ସଂପୂର୍ଣ୍ଣ ଆରୋଗ୍ୟ କାମନା କରୁଛି। ତେଲ ଅଭିଭରେ ଆଜି ଯେଉଁ ଆତଙ୍କବାଦୀ ହମଲା କରିଛି, ତା’କୁ ସୁରକ୍ଷାକର୍ମୀମାନେ ଖୋଜିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଇସ୍ରାଏଲର ବନେଇ ବ୍ରାକ ସହରରେ ଜଣେ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲା। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୧ ଜଣ ଆହତ ହୋଇଥିଲେ |

Related Posts