ଦିସପୁର: ପଣ୍ଡ ହେଲା ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା । ଭାରତରେ ଭୟଙ୍କର ଆତଂକବାଦୀ ଯୋଜନା ପ୍ରସ୍ତୁତ କରୁଥିବା ଆତଂକବାଦୀ ଙ୍କ ଯୋଜନା ପଣ୍ଡ ହୋଇଛି । ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଅନ୍ସାରୁଲ୍ ଇସ୍ଲାମ ସହ ଜଡ଼ିତ ୧୨ ଆତଙ୍କବାଦୀଙ୍କୁ ଗିରଫ କଲା ଆସାମ ପୁଲିସ। ଏହାର ଗୋଟିଏ ଦିନ ପୂର୍ବରୁ ଆସାମ ପୁଲିସ ଏକ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏକ ବ୍ୟକ୍ତିର ଖୁଲାସା କରିଥିଲା। ଯିଏ କି ବାଂଲାଦେଶୀ ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଉଥିଲା।
ସୂଚନା ଅନୁସାରେ, ପୁଲିସ ଅନେକ ଜାଗାରେ ଆତଙ୍କବାଦୀଙ୍କ ଆଡ୍ଡାର ଚଢ଼ାଉ କରିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନା ଥାଉକି ଅନ୍ସାରୁଲ ଆତଙ୍କବାଦୀ ସଂଗଠନର ଚେର ଅନେକ ଦେଶକୁ ଲମ୍ବିଛି। ନିକଟରେ ଏକ ରିପୋର୍ଟ ଅନୁସାରେ ଏହି ସଂଗଠନର ଆତଙ୍କବାଦୀମାନେ ବାଂଲାଦେଶ ଓ ପାକିସ୍ତାନର ସୀମା ଦେଇ ଭାରତ ଭିତରେ ପଶି ବିଭିନ୍ନ ରାଜ୍ୟକୁ ଏମାନେ ଯାଉଛନ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା କରୁଛନ୍ତି। ଅନେକ ଥର ବିଭିନ୍ନ ରାଜ୍ୟରେ ଆତଙ୍କବାଦୀମାନେ ଆକ୍ରମଣ ଯୋଜନା କରିଛନ୍ତି। ତେବେ ଏଜେନ୍ସିମାନଙ୍କର ସତର୍କତା ଯୋଗୁ ଏମାନେ ତାଙ୍କ ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇପାରି ନାହାନ୍ତି।
ଏକ ସୂଚନା ଅନୁସାରେ, ଗତ ୫ ବର୍ଷରେ ୨୦୨୧ରେ ବାଂଲାଦେଶ ଓ ପାକିସ୍ତାନରୁ ସବୁଠାରୁ ଅଧିକ ଅନୁପ୍ରବେଶ ହୋଇଛି। ଆଉ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ସେନା ଓ ପୁଲିସ ହାତରେ ଧରାପଡ଼ିଛନ୍ତି। ଏହା ପୂର୍ବରୁ ଆସାମ ପୁଲିସ ମୀର ଗାଁରେ ମଧ୍ୟ ଏକ ଆତଙ୍କୀ ସଂଗଠନର ଷଡ଼ଯନ୍ତ୍ର ପଣ୍ଡ କରିଛି। ଏମାନେ ମଦ୍ରାସାରେ ଜିହାଦୀ ଷଡ଼ଯନ୍ତ୍ର ରଚନା କରୁଥିଲେ। ଏଠାରୁ ଜଣେ ସନ୍ଦିଗ୍ଧ ଜିହାଦୀଙ୍କୁ ଗିରଫ କରାଯାଇଛି।
