ଜମ୍ମୁକଶ୍ମୀର ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସୁରକ୍ଷାବାହିନୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁକଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ଯବାନମାନେ ପଣ୍ଡ କରିଦେଇଛନ୍ତି । ଜମ୍ମୁକଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାବାହିନୀଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁକଶ୍ମୀର ପୁଲିସ ଗୁରୁବାର ଏହି ସୂଚନା ଦେଇଛି।ମିଳିଥିବା ସୂଚନା ଅନୁସାରେ ଉତ୍ତର କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମାଡିଆନ୍ ନାନକ ପୋଷ୍ଟ ନିକଟରେ ଯବାନମାନେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ |କଶ୍ମୀର ଜୋନ୍ ପୁଲିସ ଏକ ଟୁଇଟରେ କହିଛି ଯେ ଉରିର କମଲକୋଟ ସେକ୍ଟରର ମାଡିଆନ୍ ନାନକ ପୋଷ୍ଟ ନିକଟରେ ସେନା ଏବଂ ବାରାମୁଲ୍ଲା ପୁଲିସର ଗୁଳିମାଡରେ ତିନିଜଣ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଛି | ଏହାପୂର୍ବରୁ ସେନା ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା। ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରରେ ଯବାନମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲେ।

ସୀମା ଆରପାରିରୁ ଆସିଥିବା ଆତଙ୍କବାଦୀଙ୍କୁ ଯବାନମାନେ ତଡ଼ିଦେଇଥିଲେ। ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ଯବାନମାନେ ପଣ୍ଡ କରିଛନ୍ତି। ଗତକାଲି ରାତିରେ ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଭାରତୀୟ ସେନାର ଯବାନମାନେ ବିଫଳ କରିଥିଲେ |

Related Posts