ଦୁଷ୍କର୍ମ ପୀଡ଼ିତାଙ୍କୁ ଅଦାଲତଙ୍କ ମଞ୍ଜୁରିକ୍ରମେ ୪ ଘଣ୍ଟା ପାଇଁ ପାରୋଲ୍‌ରେ ଆସି ବିବାହ କଲେ ଅଭିଯୁକ୍ତ

ବରେଲି: ଦୁଷ୍କର୍ମ ପୀଡ଼ିତାଙ୍କୁ ଅଦାଲତଙ୍କ ମଞ୍ଜୁରିକ୍ରମେ ୪ ଘଣ୍ଟା ପାଇଁ ପାରୋଲ୍‌ରେ ଆସି ବିବାହ କଲେ ଅଭିଯୁକ୍ତ । ଭାବିପତ୍ନୀଙ୍କ ସହିତ ଦୁଷ୍କର୍ମ କରିଥିବା ଜଣେ ୨୬ ବର୍ଷିୟ ଅଭିଯୁକ୍ତ ମଙ୍ଗଳବାର ଦିନ ସ୍ଥାନୀୟ ଅଦାଲତଙ୍କ ମଞ୍ଜୁରି କ୍ରମେ ୪ ଘଣ୍ଟା ପାଇଁ ପାରୋଲ୍‌ରେ ଆସି ପୀଡ଼ିତାଙ୍କୁ ବିବାହ କରିଛନ୍ତି।

ଶାହାଜାହାନ୍‌ପୁର ଜିଲ୍ଲାର ବାସିନ୍ଦା ଅଭିଯୁକ୍ତଙ୍କ ନାମରେ ତାଙ୍କ ପିଲିଭିତ୍‌ବାସିନୀ ୨୩ ବର୍ଷୀୟ ଭାବିପତ୍ନୀ ମାମଲା ରୁଜୁ କରିଥିଲେ। ଯୌତୁକ କଥାରେ ଦୁଇ ପରିବାର ମଧ୍ୟରେ ବିବାଦ ହେବାରୁ ବାହାଘର ପ୍ରସ୍ତାବ ଭାଙ୍ଗିଯିବା ପରେ ଭାବିପତ୍ନୀ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ଏପ୍ରିଲ୍‌ ମାସରେ ଅଭିଯୁକ୍ତଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। କିନ୍ତୁ, ନିକଟ ଅତୀତରେ ଦୁଇ ପରିବାର ବୁଝାମଣା କରିବା ପରେ ମାମଲା ବନ୍ଦ କରିବା ପାଇଁ ଅଦାଲତଙ୍କୁ ଜଣାଇଥିଲେ। ଏହାପରେ ଅଦାଲତ ଅଭିଯୁକ୍ତଙ୍କୁ ପାରୋଲ୍‌ ମଞ୍ଜୁର କରିଥିଲା। ପୁଲିସ କର୍ମଚାରୀ ଓ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ପିଲିଭିତ୍‌ର ଗୋଟାଏ ମନ୍ଦିରରେ ସେମାନଙ୍କର ବିଭାଘର ହୋଇଥିଲା। ଏଥର ମାମଲା ପ୍ରତ୍ୟାହାର କରାଯାଇ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବ କି, ନାହିଁ ତାହା ବିଚାରପତିଙ୍କ ଶୁଣାଣି ଉପରେ ନିର୍ଭର କରୁଛି।

ପିଲିଭିତ୍‌ ଜିଲ୍ଲା କାରାଗାରର ଜେଲର୍‌ ସଞ୍ଜୟ କୁମାର ରାୟ ଗଣମାଧ୍ୟମକୁ କହିଛନ୍ତି, ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଣେ ବିଚାରାଧୀନ କଏଦୀଙ୍କୁ ୪ ଘଣ୍ଟା ପାଇଁ ପାରୋଲ୍‌ରେ ଯିବାକୁ ଅନୁମତି ଦିଆଯାଇଥିବା ଅଦାଲତଙ୍କ ଆଦେଶ ଅଗଷ୍ଟ ୨୨ରେ ପାଇଥିଲୁ। ଅଦାଲତଙ୍କ ଆଦେଶ ପାଇବା ପରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ଆମେ ଭିଲିଭିତ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ପତ୍ର ଲେଖିବା ପରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପାରୋଲ୍‌ରେ ମୁକ୍ତ କରାଯାଇଥିଲା।

Related Posts