
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ରାଜଧାନୀ ଭୁବନେଶ୍ଵର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁଙ୍କ ଦେହାନ୍ତ ଘଟିଛି । କରୋନା ଆକ୍ରାନ୍ତ ହୋଇ ସେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ୫୭ ବର୍ଷ ବୟସରେ ଡ଼କ୍ଟର ବିଜୟ କୁମାର ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଗୁରୁବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଶରତ କର ସୂଚନା ଦେଇଛନ୍ତି। ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ” ବିଶିଷ୍ଟ ଶିକ୍ଷାବିତ୍ ତଥା ଉଦ୍ୟୋଗୀ ଡକ୍ଟର ବିଜୟ କୁମାର ସାହୁଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବରେ ସରକାରୀ ବିଦ୍ୟାଳୟ ଶିକ୍ଷାକୁ ପରିବର୍ତ୍ତନ କରିବାରେ ତାଙ୍କର ଏକ ଅଗ୍ରଣୀ ଭୂମିକା ଥିଲା। ତାଙ୍କ ପରିବାର, ବନ୍ଧୁ ଏବଂ ଛାତ୍ରମାନଙ୍କ ପ୍ରତି ମୋର ସମବେଦନା ।”