ଶୀତ ଅଧିବେଶନ ପାଇଁ ୨୧ରେ ବସିବ ସର୍ବଦଳୀୟ ବୈଠକ, ଗୃହରୁ କୋଭିଡ କଟକଣା ହଟିବା ନେଇ ହୋଇପାରେ ନିଷ୍ପତ୍ତି

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୪ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ଆସନ୍ତା ୨୧ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ । ଏହି ବୈଠକ ଉପରେ ସଭିଙ୍କ ନଜର ରହିଛି । ୨୦୨୦ ମାର୍ଚ୍ଚ ପରଠାରୁ ବିଧାନସଭାର ସମସ୍ତ ଅଧିବେଶନ କୋଭିଡ କଟକଣାରେ ହୋଇଛି ।ଏଥର କୋଭିଡ କଟକଣା ରହିବ ନା ହଟିବ, ସେ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇପାରେ ।

୨୦୨୦ ମାର୍ଚ୍ଚରେ କରୋନା ମହାମାରୀ ଆସିବା ପରଠାରୁ ବିଧାନସଭାର ସମସ୍ତ ଅଧିବେଶନ ସାମାଜିକ ଦୂରତା ନିୟମ ପାଳନ କରି ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ଯୋଗୁ ବିଧାୟକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଉଥିବା ବେଳେ କେତେକ ସଦସ୍ୟ ଗୃହର ବିଭିନ୍ନ ଗ୍ୟାଲେରୀରେ ବସିବାକୁ ବାଧ୍ୟ ହେଉଛନ୍ତି । ଆଉ କେତେକ ସଭ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ସାମିଲ ହେଉଛନ୍ତି ।

ଖାଲି ସେତିକି ନୁହେଁ, କୋଭିଡ କଟକଣା ଯୋଗୁ ପ୍ରେସ୍‌ ଗ୍ୟାଲେରିକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ମଧ୍ୟ ବାରଣ ରହି ଆସିଛି । ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା ପରିସରସ୍ଥିତ ସମ୍ମିଳନୀ କକ୍ଷରୁ ଏଲଇଡି ସ୍କ୍ରିନ ଯୋଗେ ବିଧାନସଭା ଗୃହ କାର୍ଯ୍ୟର ସିଧା ପ୍ରସାରଣ ଦେଖୁଛନ୍ତି ।ଏଭଳି କଟକଣା ଉଠାଇବା ସହ ବିଧାୟକଙ୍କୁ ନିଜ ପୂର୍ବ ଆସନ ପ୍ରଦାନ କରିବା ଓ ଗଣମାଧ୍ୟମକୁ ପ୍ରେସ ଗ୍ୟାଲେରୀକୁ ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକମାନେ ଗତ ମୌସୁମୀ ଅଧିବେଶନରେ ଦାବି କରିଥିଲେ । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ମାତ୍ର କଟକଣାରେ ହିଁ ଗୃହ କାର୍ଯ୍ୟ ଚାଲିଥିଲା । ବର୍ତ୍ତମାନ କୌଣସି ସ୍ଥାନରେ କରୋନା କଟକଣା ନାହିଁ । ବାଲିଯାତ୍ରା ଭଳି ବିରାଟ ମହେତ୍ସବ ଓ ପାର୍ବଣକୁ ମଧ୍ୟ କଟକଣାମୁକ୍ତ କରାଯାଇଛି । ବିଧାନସଭାରେ ପୂର୍ବ କଟକଣା ବଳବତ୍ତର ରହିବ ନା ହଟିବ, ତାହା ୨୧ ତାରିଖ ସର୍ବଦଳୀୟ ବୈଠକ ପରେ ଜଣାପଡ଼ିବ ।

Related Posts