ରାଜ୍ୟପାଳ ନିଯୁକ୍ତି , ନୂତନ ମନ୍ତ୍ରଣାଳୟର ଗଠନ ହେଉଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ସଙ୍କେତ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ସରକାରୀ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ନୂତନ କରି ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି । ମନ୍ତ୍ରଣାଳୟର ପ୍ରଶାସନିକ ବ୍ୟବସ୍ଥା ଓ କାର୍ଯ୍ୟଧାରା ସ୍ୱତନ୍ତ୍ରଭାବେ କାର୍ଯ୍ୟକାରୀ ହେବ । ସମବାୟକୁ ତୃଣମୂଳସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ଏହି ମନ୍ତ୍ରଣାଳୟ ସହଯୋଗ କରିବ ବୋଲି ସୂଚନା ଦିଆଯାଇଥିବା ବେଳେ “ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’ କ୍ଷେତ୍ରରେ ଏହା ଲାଭଦାୟକ ହୋଇପାରିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ରାଜ୍ୟପାଳଙ୍କ ନିଯୁକ୍ତି, ନୂତନ କରି ସମବାୟ ମନ୍ତ୍ରଣାଳୟ ଗଠନ ସୂଚାଇ ଦେଇଛି ଯେ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମଙ୍ଗଳବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌, ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନାରାୟଣ ରାଣେ ଦିଲ୍ଲୀ ପହଞ୍ଚିଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ଲଗାତର ବୈଠକ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଓଡିଶାରୁ ମଧ୍ୟ ଏଥର ସମ୍ପ୍ରସାରଣରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜେଡି (ୟୁ) ନେତା ଲଲନ ସିଂ ଏବଂ ଆରସିପି ସିଂ; ଆର କେ ରଣଜନ ସିଂ (ମଣିପୁର ବିଜେପି); ଶାନ୍ତନୁ ଠାକୁର (ପଶ୍ଚିମବଙ୍ଗ), ହିନା ଗାଭିଟ (ମହାରାଷ୍ଟ୍ର) ଏବଂ ଏ ନାରାୟଣସ୍ୱାମୀ (କର୍ଣ୍ଣାଟକ) ମଧ୍ୟ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ୟୁପି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ସହଯୋଗୀ ଆପ୍ନା ଦଳ ଏବଂ ବିହାରର ଏଲଜେପି ମଧ୍ୟ ପ୍ରତିନିଧିତ୍ୱ ପାଇବେ ବୋଲି ଆଶା କରାଯାଉଛି। ବରିଷ୍ଠ ମନ୍ତ୍ରୀ ତଥା ଦଳିତ ନେତା ଥାୱରଚାନ୍ଦ ଗେହଲୋଟଙ୍କୁ କର୍ଣ୍ଣାଟକକୁ ରାଜ୍ୟପାଳ ଭାବରେ ପଠାଯିବା ସହିତ କ୍ୟାବିନେଟରେ ଆଉ ଏକ ପଦବୀ ଖାଲି ପଡ଼ିଛି। ମନ୍ତ୍ରୀ ପରିଷଦରେ ୮୧ ଜଣ ସଦସ୍ୟ ରହିପାରିବେ। ଗେହଲୋଟ ରାଜ୍ୟପାଳ ହେବା ପରେ ବର୍ତ୍ତମାନ ୫୨ ଜଣ ମନ୍ତ୍ରୀ ଅଛନ୍ତି। ପ୍ରାୟ ଦୁଇ ଡଜନ ପଦ ଖୋଲା ଥିବାରୁ ଏହି ପରିବର୍ତ୍ତନ ଗୁଡ଼ିକ କ୍ୟାବିନେଟ ସମ୍ପ୍ରସାରଣର ବଡ ସଙ୍କେତ ଦେଇଛି। ସୂତ୍ରରୁ ଜଣାପଡିଛି ଯେ ଜାତି, ଭୌଗୋଳିକ ପ୍ରତିନିଧିତ୍ୱ ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀ ମଣ୍ଡଳରେ ସମ୍ପ୍ରସାରଣ ହେବ। ଆସନ୍ତା ବର୍ଷର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ , ହିମାଚଳ ପ୍ରଦେଶ, ଗୋଆ, ମଣିପୁର ଏବଂ ଗୁଜୁରାଟରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖାଯିବ। ଏହି କ୍ୟାବିନେଟ୍ ବିସ୍ତାରରେ ଓବିସି ଓ ଦଳିତଙ୍କ ସର୍ବାଧିକ ପ୍ରତିନିଧିତ୍ୱ ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ । ଏହି ସମ୍ପ୍ରସାରଣ ଏକ ସାମାଜିକ ସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ। ମିଳିଥିବା ସୂଚନା ମୁତାବକ କିଛି ମହିଳା ସଦସ୍ୟ ମଧ୍ୟ ସମ୍ପ୍ରସାରଣରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ଏବଂ ଯୁବ ନେତାଙ୍କ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ, ଥାବର ଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ,ରମେଶ ବୈଶଙ୍କୁ ଝାଡଖଣ୍ଡ ରାଜ୍ୟପାଳ, ବନ୍ଦାରୁ ଦତାତ୍ରେୟଙ୍କୁ ହରିଆଣା ରାଜ୍ୟପାଳ, ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ, ପିଏଏସ ଶ୍ରୀଧରଣ ପିଲ୍ଲାଇଙ୍କୁ ଗୋଆ ରାଜ୍ୟପାଳ, ହରିବାବୁ କମ୍ଭମପତିଙ୍କୁ ମିଜୋରାମ ରାଜ୍ୟପାଳ କରାଯାଇଛି। କୋଭିଡ୍ ର ଦ୍ବିତୀୟ ଲହରରେ ମୋଦୀ ସରକାରଙ୍କ ବିଫଳତାକୁ ନଜରରେ ରଖି ଏହି ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରାଯିବାର ସମ୍ଭାବନା ମଧ୍ୟ ରହିଛି।

Related Posts