
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ୱାମୀ ଓ ସ୍ତ୍ରୀଙ୍କ ଝଗଡ଼ାରେ ବଳିପଡ଼ିଲା ଶିଶୁକନ୍ୟା । ଖାଇବାକୁ ଅଝଟ ହେବାରୁ ନିଜ ଝିଅକୁ ପିଟିପିଟି ମାରିଦେଇଛନ୍ତି ବାପା ଏବଂ ସାବତ ମାଆ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତେନ୍ତୁଳିଆରେ । ଏ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ସେପଟେ ତେନ୍ତୁଳିଆ ଅଞ୍ଚଳର ଦିବାକର ନାମକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଏକ ୬ ବର୍ଷର ଝିଅ ମଧ୍ୟ ଥିଲା । ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ହେବାପରେ ଦିବକର ଦ୍ୱିତୀୟ ବିବାହ କରିଥିଲେ । ହେଲେ କୁନି ଝିଅଟି ଯୋଗୁ ଉଭୟ ସ୍ତ୍ରୀ-ସ୍ୱାମୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହୁଥିଲା ।
ଏହା ମଧ୍ୟରେ ଝିଅ ତପସ୍ୟା ଖାଇବାକୁ ଅଝଟ ହେବାରୁ ତାକୁ ଦିବାକର ଅମାନୁଷିକ ଭାବରେ ପିଟିଥିଲେ । ଏହାପରେ ସେ ଘର ବାହାରକୁ ଚାଲିଯାଇଥିଲେ । ଏହା ପରେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଏକ କାଠଫାଳିଆରେ ଝିଅର ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣା ସ୍ଥଳରେ କୁନି ଝିଅଟିର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି ଉଭୟଙ୍କୁ ଗିରଫ କରିଛି ।