ମାତ୍ର ୨ ଯାତ୍ରୀ ଓ ୨୦ ଟଙ୍କା ଆୟ ରେ ଚାଲିଛି ବଲାଙ୍ଗୀର- ବିଛୁପାଲି ଟ୍ରେନ

ମାତ୍ର ଦୁଇ ଜଣ ଯାତ୍ରୀଙ୍କୁ ନେଇ ଗତ ଗୋଟିଏ ବର୍ଷଧରି ଚାଲୁଛି ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ମଧ୍ୟରେ ଟ୍ରେନ ଏକଥା ବିଶ୍ବାସ ନହେଲେବି ସତ୍ୟ । ଘୋଡା ଛ’ଟଙ୍କାକୁ ଦାନା ନ’ ଟଙ୍କା ନ୍ୟାୟରେ ଚାଲିଛି ରେଳବାଇର ଏ ସୁଦୁରପ୍ରସାରୀ ଯୋଜନା ।

ବହୁ ପ୍ରତିକ୍ଷିତ ବଲାଙ୍ଗୀର ଖୋର୍ଦ୍ଧା ରେଳ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇନଥିଲା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଜାନୁଆରୀ ୧୫ ଏହି ୧୮ କି.ମି ରେଳ ଲାଇନକୁ ଉଦଘାଟନ କରିଥିଲେ । ବଲାଙ୍ଗୀର ପାର୍ଶ୍ଵରୁ ଏହାକୁ ଆରମ୍ଭ କରାଯାଇଥିଲା ଯେଉଁ ଉଦ୍ଦେଶ୍ୟ ରଖି ତାହା କେତେଦୁର ସାକାର ହୋଇଛି ତାହା ଏହି ତଥ୍ୟରୁ ସହଜେ ଅନୁମେୟ । ବଲାଙ୍ଗୀର ରୁ ବିଚ୍ଛୁପାଲ୍ଲୀ ଯାଏ ରାସ୍ତାକୁ ଦିନକୁ ଦୁଇଥର ଟ୍ରେନ ଯିବା ଆସିବାରେ ମାସିକ ୩ ଲକ୍ଷ ବ୍ୟୟ ହେଉଥିବା ବେଳେ ଆୟ ମାତ୍ର ୬ଶହ ଟଙ୍କା ହେଉଛି ।

ଦୁଇଟି ବଗିକୁ ନେଇ ନିୟମିତ ଯିବା ଆସିବା କରୁଥିବା ଏହି ଟ୍ରେନରେ ମାତ୍ର ଦୁଇ ଜଣ ଯାତ୍ରୀ ଯାଆନ୍ତି ଯାହା ମାତ୍ର ୨୦ ଟଙ୍କା ବିନିମୟରେ । ୪ ଜଣ ଷ୍ଟେସନ କର୍ମଚାରୀ ଏବଂ ୩ ଜଣ ରେଳ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏହି ଦୁଇଟି ଷ୍ଟେସନରୁ ମାତ୍ର ୬ଶହ ଟଙ୍କା ଆୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ଅନେକ ସମୟରେ ବିନା ଯାତ୍ରୀରେ ମଧ୍ୟ ଟ୍ରେନ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି । ବୋଧହୁଏ ଏହା ଏକ ବିରଳ ଟ୍ରେନ ଯେଉଁଥିରେ ଦୈନିକ ମାତ୍ର ଦୁଇଜଣ ଯାତ୍ରୀ ଯିବା ଆସିବା କରିଥାନ୍ତି ।

ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ ଦ୍ବାରା ହସ୍ତଗତ ତଥ୍ୟ ପଦାକୁ ଆସିବା ପରେ ପ୍ରଶ୍ନ ଉଠୁଛି ଏ କଥା ରେଳ ବିଭାଗର ନଜରରେ ଥିଲାକି ନାହିଁ । କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହେଉଛି ସତ୍ୟ ହେଲେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶେଷ ନହେବାରୁ ଏଭଳି ସ୍ଥିତି ଉପୁଜୁଛି । ୨୮୯ କି.ମି ଦୈର୍ଘ୍ୟ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ମଧ୍ୟରୁ ମଧ୍ୟରୁ ଅଦ୍ୟାବଧି ମାତ୍ର ୭୭ କି.ମି ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକିତକ ପାଇଁ ବର୍ଷ ବର୍ଷ ଧରି ସାଧାରଣ ଜନତାଙ୍କୁ ଅପେକ୍ଷା କରିବାକୁ ପଡୁଛି । ୧୯୪୫ ମସିହାରୁ ଭିତ୍ତିପ୍ରସ୍ତର ପଡିଥିବା ଏହି ଐତିହାସିକ ପ୍ରକଳ୍ପ କେବେ ଶେଷ ହେବ ତାହାତ ଭିନ୍ନ କଥା କିନ୍ତୁ ଯେଭଳି ଭାବରେ ସରକାରୀ ସମ୍ପତ୍ତି ଅନାବଶ୍ୟକ ଭାବରେ ଅପଚୟ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ବାସ୍ତବତା ଅପେକ୍ଷା ରାଜନୀତିର ତାଓ୍ବାରେ ରୁଟି ସେକିବା ନ୍ୟାୟରେ ରାଜନୈତିକ ଦଳମାନେ ଯେପରି ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ପକଳ୍ପକୁ ନିଜ ଇଚ୍ଛାରେ କାର୍ଯ୍ୟକାରୀ କରୁଛନ୍ତି ଏହା ତାହାର ଏକ ବଡ ଉଦାହରଣ । ଖୁବଶୀଘ୍ର ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

Related Posts