(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରର ବହୁ ଚର୍ଚ୍ଚିତ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା ଏବେ ପୁଣି ଥରେ ବିବାଦ ଭିତରକୁ ଆସିଛି। ଓଭରବ୍ରିଜ୍ ଭୁଶୁଡ଼ିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ରାଜ୍ୟ ସରକାରଙ୍କୁ କଡା ଭର୍ତ୍ସନା କଲେ। ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କଲେ। ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ସରକାରଙ୍କୁ ରିପୋର୍ଟ ଦେଲା। ମିଳିଥିବା ସୂଚନା ମୁତାବକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଯେଉଁ ରିପୋର୍ଟ ଦେଇଥିଲା , ତାକୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ବଦଳାଇ ଦେଇଛନ୍ତି। ରିପୋର୍ଟ ବଦଳାଇବା ସହ ତଦନ୍ତ କମିଟିରେ ଯାହାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ତାଙ୍କୁ ଏବେ ଚାକିରିରେ ପଦୋନ୍ନତି ଦିଆଯାଇଛି। ରାଜ୍ୟ ସରକାର ଗୋଟିଏ ପଟେ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରୁଥିବା କହୁଛନ୍ତି ଏପଟେ ଦୋଷୀଙ୍କୁ ପ୍ରମୋଶନ ଦେଇ ପୁରସ୍କୃତ କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ , ସେପ୍ଟେମ୍ବର ୧୦, ୨୦୧୭ରେ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ପଡିବା ଘଟଣାରେ ସେ‌ପ୍ଟେମ୍ବର ୧୨ରେ  ପୂର୍ତ୍ତ ବିଭାଗ ଭୁବନେଶ୍ବର ଡିଭିଜନ୍-୪ର ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର କୁମାର ରାଉତ ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରି ନଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।  

ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ତଦନ୍ତ କମିଟିର ରିପୋର୍ଟ :-

      ଓଭରବ୍ରିଜ୍ ଭୁଶୁଡ଼ି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାରୁ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଜେଲ୍‌ ଯାଇଥିଲେ। ଘଟଣାର ତଦନ୍ତ ପାଇଁ ସେପ୍ଟେମ୍ବର ୧୩ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ସେପ୍ଟେମ୍ବର ୨୫ରେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ , ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରି ନଥିଲେ ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଯାଇନଥିଲେ। ଏମିତିକି ସେହି ଦିନ ସେ ଅନୁପସ୍ଥିତ ଥିଲେ। ତେଣୁ ତଦନ୍ତ କମିଟି ତାଙ୍କୁ ନିନ୍ଦା କରିବା ସହ ଗୋଟିଏ ପଦୋନ୍ନତି ସ୍ଥଗିତ ରଖିବାକୁ ସୁପାରିସ୍‌ କରିଥିଲା। ସମାନ ଅଭିଯୋଗ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ କ୍ଷେତ୍ରରେ ହୋଇଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ତଦନ୍ତ କମିଟି ରିପୋର୍ଟରେ ଲେଖିଥିଲା। ତେବେ ତଦନ୍ତ କମିଟି ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। 

ଦୋଷୀଙ୍କୁ ମିଳିଲା ପୁନଃ ନିଯୁକ୍ତି :-

      ଏପ୍ରିଲ ୪, ୨୦୧୮ରେ ପୁଣି ଥରେ ସେମାନଙ୍କୁ ଚାକିରିରେ ପୁନଃ ନିଯୁକ୍ତି ଦିଆଯାଇଥିଲା। ୪ ମେ ୨୦୧୮ରେ  ଉକ୍ତ ତିନି ଯନ୍ତ୍ରୀ ସେମାନଙ୍କ ପକ୍ଷ ରଖି ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ୨୬ ଜୁନ୍‌ ୨୦୧୮ରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା)ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଅଭିଯୁକ୍ତ ତିନି ଯନ୍ତ୍ରୀଙ୍କ ବିରୋଧରେ ଅଧିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଅଗଷ୍ଟ ୨୯, ୨୦୧୮ରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତେବେ ମୁଖ୍ୟଯନ୍ତ୍ରୀ ମଧ୍ୟ ସମାନ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଉପରେ ତିନି ଅଧିକାରୀଙ୍କୁ ପକ୍ଷ ରଖିବାକୁ ଡିସେମ୍ବର ୨୬, ୨୦୧୮ରେ କୁହାଯାଇଥିଲା। ନିର୍ବାହୀ ଯନ୍ତ୍ରୀ ଡିସେମ୍ବର ୩୧, ୨୦୧୮ରେ, ଉପନିର୍ବାହୀ ଯନ୍ତ୍ରୀ ଜାନୁଆରି ୯, ୨୦୧୯ରେ ଏବଂ ସହକାରୀ ଯନ୍ତ୍ରୀ ଜାନୁଆରି ୫, ୨୦୧୯ରେ ଲିଖିତ ଭାବେ ସେମାନଙ୍କ ପକ୍ଷ ରଖିଥିଲେ। ଦୀର୍ଘ ୨ ବର୍ଷ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟକୁ ଚାପି ରଖିବା ପରେ ଫେବ୍ରୁଆରି ୨, ୨୦୨୧ରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷ ମଗାଯାଇଥିଲା । 

ବଦଳିଗଲା ସର୍ବୋଚ୍ଚ ଯନ୍ତ୍ରୀଙ୍କ ରାୟ :- 

      ସର୍ବୋଚ୍ଚ ଯନ୍ତ୍ରୀଙ୍କ ଚାକିରୀ ଆଉ କିଛି ଦିନ ଥିବା ବେଳେ ସେ ମତ ଦେଲେ ଯେ, ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି କେବଳ ନିନ୍ଦାର ପାତ୍ର। ତାଙ୍କର ପଦୋନ୍ନତି ସ୍ଥଗିତ ରଖାଯିବ ନାହିଁ କିନ୍ତୁ ବାକି ଦୁଇ ଯନ୍ତ୍ରୀଙ୍କୁ ତାଙ୍କର ଅବହେଳା ପାଇଁ ନିନ୍ଦା କରିବା ସହ ପଦୋନ୍ନତି ସ୍ଥଗିତ ରଖିବାକୁ ସୁପାରିସ୍ କରିଦେଲେ। ୪ବର୍ଷ ତଳେ ଯେଉଁ ଅଧିକାରୀଙ୍କୁ ତଦନ୍ତ କମିଟି ଦୋଷୀ ବୋଲି କହିଥିଲା , ଏବେ ସେହି ଯନ୍ତ୍ରୀଙ୍କର ଲିଖିତ ଜବାବରେ ସନ୍ତୁଷ୍ଟ ହୋଇ ବାବୁଙ୍କୁ ପଦୋନ୍ନତି ଦେଇଦିଆଗଲା । ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରୀରେ ପଦୋନ୍ନତି ଦେବା ପୂର୍ବରୁ ମାର୍ଚ୍ଚ ୨୩, ୨୦୨୧ରେ ପୁଣି ଥରେ ସେହି ତିନି ଯନ୍ତ୍ରୀଙ୍କୁ ଲିଖିତ ଭାବେ ପକ୍ଷ ରଖିବାକୁ କୁହାଗଲା। ଯେଉଁ ଯନ୍ତ୍ରୀମାନେ ଲିଖିତ ଭାବେ ପକ୍ଷ ରଖିବା ପାଇଁ ମାସ ମାସ ସମୟ ନେଲେ ସେମାନେ ବର୍ତ୍ତମାନ ତିନି ଦିନରେ ଜଣାଇଦେଲେ। ଏହାପରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଓପିଏସ୍‌ସିକୁ ମେ’ ୬ରେ ଚିଠି ଲେଖାଗଲା। 

     ମେ’ ୨୮ରେ ଓପିଏସ୍‌ସି କମିନସର ଏ ସମ୍ପର୍କରେ ଶୁଣାଣି କରିବେ ବୋଲି ଜଣାଇଲେ। ବିଡମ୍ବନାର କଥା ହେଉଛି ନିଲମ୍ବିତ ନିର୍ବାହୀ ଯନ୍ତ୍ରୀଙ୍କ ନିଲମ୍ବିତ ସମୟକୁ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ ଦିବସ ଭାବେ ଗଣତି କଲେ ଏବଂ ପ୍ରମୋଶନ ଦେବାକୁ ନିଷ୍ପତ୍ତି ନେଇଗଲେ। ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରମୋଶନ ମିଳିଲା ଏପଟେ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପରେ ପ୍ରଥମ ତଦନ୍ତ କମିଟି ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ଲାଗୁ କରିଦେଲେ। ଅର୍ଥାତ୍ ସେମାନଙ୍କର ଗୋଟିଏ ପଦନ୍ନୋତି ବାତିଲ୍ କରାଗଲା। ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କୁ ଜୁଲାଇ ୬ରେ ପଦୋନ୍ନତି ଦିଆଯାଇଥିବା ନେଇ ସୂଚନା ରହିଛି।

ଓପିଏସ୍‌ସି ରାୟ ଆସିବା ପୂର୍ବରୁ ପଦୋନ୍ନତି କାହିଁକି ?

   ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ବିଭାଗୀୟ ଅଧିକାରୀମାନେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଓପିଏସ୍‌ସିକୁ ସୁପାରିସ୍‌ କଲେ ତେବେ ରାୟ ଆସିବା ପୂର୍ବରୁ କାହିଁକି ପଦୋନ୍ନତି ଦେଇଦେଲେ ? ସୂଚନାଯୋଗ୍ୟ ଯେ, ପ୍ରାୟ ୪ବର୍ଷ ଧରି ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବମିଖାଲ ଓଭରବ୍ରିଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଫେବ୍ରୁଆରି ୨୦ ତାରିଖରେ ଉଦ୍‌ଘାଟନ କରିଥିଲେ।