(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ବିବାଦୀୟ ଏବଂ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ପେଗାସସ୍ ଜାସୁସି କାଣ୍ଡ। ଏହି ପ୍ରସଙ୍ଗ ବର୍ତ୍ତମାନ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ଅଗଷ୍ଟ ୫ ଅର୍ଥାତ୍ ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ ଏନେଇ ନିଷ୍ପତ୍ତି ଶୁଣାଣି କରିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ପେଗାସସ୍ ଦ୍ୱାରା ଦେଶର ଵହୁ ପ୍ରତିଷ୍ଠିତ ମନ୍ତ୍ରୀ, ସାମ୍ବାଦିକ, ଆଇନଜୀବୀ, ବିରୋଧୀ ଦଳ ନେତା, ସାମାଜିକ କର୍ମୀଙ୍କୁ ଟାର୍ଗେଟ୍ କରାଯାଇ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଆଶଙ୍କା କରାଯାଇଥିଲା । ତେଣୁ ବରିଷ୍ଠ ସାମ୍ବାଦିକ ଏ. ରାମ ଓ ଶଶି କୁମାର ଏନେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ ।
ଇସ୍ରାଇଲର କମ୍ପାନିଠାରୁ ଏହି ସ୍ପାଏଓୟାର୍ ଭାରତ ସରକାର କିଣିଛନ୍ତି କି ନାହିଁ, ତାହା ସ୍ପଷ୍ଟ କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ୟାଚିକାରେ ଦର୍ଶାଇଛନ୍ତି । ଏହା ବ୍ୟକ୍ତିର ସ୍ବତନ୍ତ୍ରତାର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ ।
ଇସ୍ରାଏଲର କମ୍ପାନି ଏନ୍ଏସ୍ଓ କହିଥିଲା, କେବଳ କୌଣସି ଦେଶର ସରକାରଙ୍କୁ ହିଁ ପେଗାସସ୍ ସ୍ପାଏଓୟାର୍ ବିକ୍ରି କରିଥାଏ । ପୂର୍ବରୁ ଆଇନଜୀବୀ ଏମ.ଏଲ ଶର୍ମା ଓ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ ମଧ୍ୟ ପେଗାସସକୁ ନେଇ ମାମଲା ଦାୟର କରି ଏହା ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ନ୍ୟାୟିକ ଓ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇଥିଲେ ।
ଏହି ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ବିରୋଧୀ ହଙ୍ଗାମା କରୁଛନ୍ତି । ଏହାର ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି । ପେଗାସସ୍ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ଲଗାତର ହମଲା କରୁଛନ୍ତି । ରାହୁଲ କହିଥିଲେ ଯେ, ‘ସମଗ୍ର ବିରୋଧୀ ଏକାଠି ହୋଇଛନ୍ତି କାରଣ ସଂସଦରେ ଆମର ସ୍ୱର ଦମନ କରାଯାଉଛି’ । ପେଗାସସ୍ ସଫ୍ଟଓୟାର୍ କିଣାଯାଇଛି କି ନାହିଁ ଏବଂ ତାହା ଭାରତର କିଛି ଲୋକଙ୍କ ବିରୋଧରେ ବ୍ୟବହୃତ ହୋଇଛି କି ନାହିଁ ? ଆମେ କେବଳ ଏତିକି ପଚାରୁଛୁ ବୋଲି ରାହୁଲ କହିଥିଲେ ।
ସେହିପରି ସଂସଦର ଆଇଟି କମିଟି ବୈଠକରେ ମଧ୍ୟ ଏହି ପ୍ରସଙ୍ଗକୁ ଉଠାଇବା ପାଇଁ ବୈଠକ ଡକାଯାଇଥିଲା। କିନ୍ତୁ ବିଜେପି ସାସଂଦ ମାନେ ବୈଠକକୁ ନ ଆସିବାରୁ ବୈଠକ ଅନୁଷ୍ଠିତ ହୋଇ ପାରି ନଥିଲା।