
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ସେବାର ଉଦବେଗ ଜନକ ଚିତ୍ର । କଟକ ଏସସିବି ମେଡିକାଲରେ ବିଜୁଳି ନଥିବାରୁ ଟର୍ଚ୍ଚ ଲାଇଟରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଛନ୍ତି। ଓଡ଼ିଶାର ବଡ଼ ମେଡିକାଲରେ ସ୍ବାସ୍ଥ୍ୟ ସେବାର ଏଭଳି ଦୃଶ୍ୟ ଏବେ ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି।
ଶନିବାର ରାତି ପ୍ରାୟ ସାଢେ ୯ଟାରେ ସମୟରେ କଟକ ଏସସିବି ମେଡିକାଲ କଲେଜରେ ୧୫ ମିନିଟ ପାଇଁ କରେଣ୍ଟ ଚାଲି ଯାଇଥିଲା। ବିଜୁଳି ଚାଲିଯିବାରୁ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ। ରାଜ୍ୟର ସବୁଠାରୁ ବଡ଼ ମେଡିକାଲର ଜରୁରୀକାଳୀନ ବିଭାଗରେ ରୋଗୀ ତତକ୍ଷଣାତ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବାବେଳେ ବିଜୁଳି ଚାଲିଗଲେ ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନରହିବା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କଟକ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ କହିଛନ୍ତି ଯେ ୧୫ ମିନିଟ ପାଇଁ ବିଜୁଳି ଚାଲି ଯାଇଥିଲା , ପରେ କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇଯାଇଥିଲା ।