ଅନୁଗୋଳ ପୌରପରିଷନ ନିର୍ବାଚନରେ କଂଗ୍ରେସ ଗଡ଼ ଭାଙ୍ଗିବା ପାଇଁ ବିଜେଡିର ପ୍ରୟାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌରନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସଜବାଜ ହେଲେଣି । ଏଥର ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ବିରୋଧୀଙ୍କୁ ମାତ ଦେଇ ଐତିହାସିକ ବିଜୟ ଲାଭ କରିଛି । ଏପରିକି ଜିଲ୍ଲାର ମୋଟ ୨୮ଟି ଜୋନ ମଧ୍ୟେରେ ବିଜେଡି ୧୭ଟିରେ ବିପୁଳ ବିଜୟ ସହ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି । ସେପଟେ ପଞ୍ଚାୟତ ନିର୍ବାଚନର ଭଳି ପୌରନିର୍ବାଚନରେ ମଧ୍ୟ ନିଜର ବିଜୟ ପରମ୍ପରାକୁ ବଜାୟ ରଖିବାକୁ ପ୍ରୟାସ ରଖିଛି ଶାସକ ବିଜେଡି । ତେଣୁ ବର୍ତ୍ତମାନ ଠାରୁ ପୌରନିର୍ବାଚନ ପାଇଁ ଦଳ ଅଣ୍ଟାଭିଡ଼ିଲାଣି । ଏସବୁ ମଧ୍ୟରେ ଅନୁଗୋଳ ପୌର ପରିଷଦ, ତାଳଚେର ପୌର ପରିଷଦ ଓ ଆଠ ମଲ୍ଲିକ ଏନଏସି ଦଖଲ କରିବା ପାଇଁ ବିଜେଡି ସଜବାଜ ହେଲାଣି । କାହିଁକିନା ଦୀର୍ଘବର୍ଷ ଧରି ଅନୁଗୋଳରେ କଂଗ୍ରେସ ବାଜି ମାରିଆସୁଛି । ତେବେ ଏଥର କଂଗ୍ରେସକୁ ହରାଇ ଶାସକ ବିଜେଡି ବାଜି ମାରିବା ଉଦ୍ଦେଶ୍ୟରେ ରହିଛି । ସେପଟେ କଂଗ୍ରେସର କିଛି ବରିଷ୍ଠ ନେତାମାନେ ମଧ୍ୟ ବିଜେଡି ସହ ମିଶିଥିବାର ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ୨୩ ୱାଡବିଶିଷ୍ଟ ଅନୁଗୋଳ ପୌରପରିଷଦକୁ ଦୀର୍ଘବର୍ଷ ହେଲା କଂଗ୍ରେସ ନିଜ ଅକ୍ତିଆରରେ ରଖିଆସିଛି ।

ଜିଲ୍ଲାରେ ଦଳ କି ଦଳୀୟ ସଙ୍ଗଠନ ସେତେଟା ସବଳ ନଥିବା ବିଭିନ୍ନ ନିର୍ବାଚନରେ ପ୍ରମାଣିତ ହୋଇଥିଲେ ମଧ୍ୟ ପୌରାଞ୍ଚଳରେ କଂଗ୍ରେସ ନିଜର ବିଜୟ ବାନା ବାରମ୍ବାର ଉଡ଼ାଇ ଆସିଛି । ତେବେ ଏହା ୨୦୦୮ ହେଉ କିମ୍ବା ୨୦୧୩ ମସିହାର ପୌରନିର୍ବାଚନ ହେଉ । କଂଗ୍ରେସ ଅନୁଗୋଳ ମ୍ୟୁନିସିପାଲଟିକୁ ହାତରୁ ଖସିଯିବାକୁ ଦେଇନାହିଁ । ୨୦୦୮ ନିର୍ବାଚନରେ କଂଗ୍ରେସ ୧୨, ବିଜେଡି ୯, ବିଜେପି ୧ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ୱାର୍ଡରେ ବିଜୟୀ ହୋଇଥିଲେ । ଫଳରେ କଂଗ୍ରେସ ପରିଷଦ ଗଠନ କରିବା ସହ ବିନୋଦିନୀ ଦାସଙ୍କୁ ଅଧ୍ୟକ୍ଷା ଆସନରେ ବସାଇଥିଲେ । କିନ୍ତୁ କାର୍ଯ୍ୟାକାଳ ସମ୍ପୂର୍ଣ୍ଣ ପୂର୍ବରୁ ବିନୋଦିନୀଙ୍କ ସ୍ଥାନରେ ସକୁାନ୍ତି ଦାସଙ୍କୁ ପୌରାଧ୍ୟକ୍ଷ କରାଯାଇଥିଲା ।

୨୦୧୩ ମସିହା ନିର୍ବାଚନରେ ବିଜେଡିକୁ ୯ଟି ୱାର୍ଡରେ ବିଜୟ ମିଳିଥିବାବେଳେ କଂଗ୍ରେସ ୧୪ ଟି ୱର୍ଡ ଜିଣି ଅକ୍ଷୟ କୁମାର ସାମନ୍ତଙ୍କୁ ଅଧ୍ୟକ୍ଷ କରିଥିଲେ । ଏହାପରେ ଆଉ ପୌର ନିର୍ବାଚନ ହୋଇନଥିବାରୁ ଜିଲ୍ଲାପାଳମାନେ ହିଁ ପୌର ପ୍ରଶାସନକ ଦାୟିତ୍ୱ ତୁଲାଇ ଆସିଛନ୍ତି । ତେବେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ଅନୁଗୋଳ ପୌରାଞ୍ଚଳରେ ରାଜନୈତିକ ଚଳଚଞ୍ଚଳ ଦେଖିବାକୁ ମିଳିଛି । କାହିିଁକନା ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ମଧ୍ୟ ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ମ୍ୟୁନିସିପାଲଟି ଦଖଲ ନେଇ ବଳ କଷାକଷି ଜୋରଧରିଥିଲା । ବର୍ତ୍ତମାନ ଦେଖିବାର ବିଷୟ ଏଥର ଅନୁଗୋଳ ପୌରନିର୍ବଚାନରେ କିଏ ବାଜି ମାରୁଛି ।

Related Posts