ଗାଡ଼ି ସାଇଡ୍‌କୁ କେନ୍ଦ୍ର କରି ବିଜେପି ନେତାଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୁତ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାମାନ୍ୟ ଗାଡ଼ି ସାଇଡ୍‌ କରିବାକୁ ନେଇ ବିଜେପି ନେତାଙ୍କୁ ପିଟି ପିଟି ହତ୍ୟାକଲେ ଦୁର୍ବୁତ୍ତ।  ବାଲେଶ୍ୱର ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚାର ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ (୪୪) ଙ୍କୁ ତାଙ୍କ ଶ୍ବଶୁରଙ୍କ ଘର ପାଖରେ ହତ୍ୟା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ରଞ୍ଜିତ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହିଠାରେ ରଞ୍ଜିତଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ରଞ୍ଜିତ ଔଷଧ ଦେବାପାଇଁ ତାଙ୍କ ଶ୍ବଶୁରଙ୍କ ଘରକୁ ନିଜ ମାରୁତି ଜେନ୍ (ଓଆର୍‌୦୧ଭି-୦୧୨୪) କାର୍‌ରେ ଯାଇଥିଲେ। ରାତି ୧୦ଟା ବେଳକୁ ସେ ନୂଆସାହି ସ୍ଥିତ ତାଙ୍କ ଶ୍ୱଶୁର ଘର ପାଖାପାଖି ପହଞ୍ଚି କାର୍ କୁ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ନେଉଥିବା ବେଳେ ସେ ଇଣ୍ଡିକେଟର୍‌ ଦେଇନଥିବାରୁ ପଛରୁ ୨ଟି ବାଇକ୍‌ରେ ଆସୁଥିବା ୩ ଜଣ ଯୁବକ ସେଠାରେ ଭାରସାମ୍ୟ ହରାଇଥିଲେ । ଇଣ୍ଡିକେଟର ନ ଦେଇ କାହିଁକି ସାଇଡ୍ ମାରିଲ ବୋଲି କହି ସେମାନେ ରଞ୍ଜିତଙ୍କ ସହ ଝଗଡ଼ା କରିଥିଲେ । ନିଶାସକ୍ତ ଅବସ୍ଥାରେ ଥିବାରୁ ସେମାନେ କାର ଭିତରୁ ରଞ୍ଜିତଙ୍କୁ ଘୋଷାଡ଼ି ଆଣି ନିର୍ଦ୍ଦୟ ଭାବେ ପିଟି ଚାଲିଥିଲେ। ତେବେ ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ସେଠାରେ ପହଞ୍ଚିଲା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେତେବେଳକୁ ରଞ୍ଜିତ ଗୁରୁତର ଅବସ୍ଥାରେ ପାଣି ମାଗି ପିଇଥିଲେ। ଏହାର କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ରଞ୍ଜିତଙ୍କୁ ସଙ୍ଗେ ସଙ୍ଗେ କପ୍ତିପଦା ଏବଂ ସେଠାରୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଞ୍ଜିତଙ୍କ ହତ୍ୟାକାଣ୍ଡ ଖବର ପାଇବା ପରେ ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଏବଂ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚି ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରିବାକୁ ଦାବି କରିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ରଞ୍ଜିତଙ୍କ ଶ୍ୱଶୁର ପ୍ରଫୁଲ୍ଲ ପାତ୍ରଙ୍କ ଅଭିଯୋଗ ଆଧାରରେ କପ୍ତିପଦା ପୁଲିସ୍ କେସ୍ ନଂ ୧୫୫/୨୧ରେ ମାମଲା ରୁଜୁ କରିଥିଲା ଏବଂ ବିଳମ୍ୱିତ ରାତ୍ରିରେ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଯୁବକମାନେ ହେଉଛନ୍ତି ଆମ୍ୱପିଛୁଳା ଗାଁ ର ଲମ୍ୱୋଦର ବେହେରା (୪୦), ଭାଗିରଥୀ ରାଉତ (୩୩) ଓ ଭାଲିଆଡ଼ିହି ଗ୍ରାମର ରବୀନ୍ଦ୍ର ଆରୁଖ (୩୦)। ଲମ୍ୱୋଦର ପେସାରେ ଜଣେ ଡ୍ରାଇଭର ହୋଇଥିବାବେଳେ ଭାଗିରଥୀ ଓ ରବୀନ୍ଦ୍ର ଦିନମଜୁରିଆ। ରବିବାର ଦିନ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Related Posts