ଆଗାମୀ ବିଧାନସଭା ନିର୍ବାଚନରେ କୃଷକଙ୍କ କ୍ରୋଧ ହିଁ ବିଜେପିର ଅହଂକାରକୁ ଭାଙ୍ଗିବ : ଅଖିଳେଶ ଯାଦବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଆଜି ବି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଙ୍ଗଠନ। କୃଷି ଆଇନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ଜୋରଦାର ହମଲା କରିଛନ୍ତି। ତିନୋଟି କୃଷି ଆଇନକୁ ନେଇ କୃଷକଙ୍କ ଏକତା ହିଁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ଅହଂକାରକୁ ଭାଙ୍ଗିଦେବ। ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାର ସ୍ବପ୍ନ ଦେଖାଇ ଭୋଟ୍ ହାସଲ କରିବାର ସ୍ୱପ୍ନ ଦେଖାଇ କୃଷକଙ୍କ ଆର୍ଥିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି। ବିଜେପି ଶାସନରେ ଚାଷୀଙ୍କ ଅବସ୍ଥା ବିଗିଡି ଯାଇଛି ବୋଲି ଅଖିଳେଶ କହିଛନ୍ତି। ସେ କହିଛନ୍ତି, “କୃଷକମାନେ ଆର୍ଥିକ ଦୃଷ୍ଟିରୁ ବହୁତ୍ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ବର୍ଷ ବିଜେପି ଦ୍ବାରା ଲାଗୁ କରାଯାଇଥିବା ୩ କଳା କୃଷି ଆଇନ ସମଗ୍ର କୃଷି ଅର୍ଥନୀତିକୁ ନଷ୍ଟ କରିଦେଇଛି।” ଅଖିଳେଶ କହିଛନ୍ତି ଯେ କୃଷକମାନେ ସରକାରଙ୍କ ଉପରେ ଅତ୍ୟଧିକ ରାଗିଛନ୍ତି । ଆନ୍ଦୋଳନକାରୀ କୃଷକଙ୍କ ଏହି ଏକତା ବିଜେପିର ଅହଂକାରକୁ ଭାଙ୍ଗି ଦେବ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ କହିଛନ୍ତି ଯେ ବିଜେପି କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାର ସ୍ୱପ୍ନ ଦେଖାଇ ସେମାନଙ୍କର ଭୋଟ୍ ପାଇଛି, କିନ୍ତୁ ସେମାନଙ୍କ ଫସଲର ଉଚିତ୍ ମୂଲ୍ୟ ଦେବାରେ ବିଜେପି ବିଫଳ ହୋଇଛି। ଫଳସ୍ୱରୂପ ଚାଷୀ ମାନେ ସେମାନଙ୍କ ଫସଲକୁ ବିଚୋଲିଆ ମାଧ୍ୟମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ପାଇଁ ଘୋଷଣା ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ସେମାନଙ୍କୁ ମିଳିବା ପରିବର୍ତ୍ତେ କେବଳ ମିଡିଆ ବିଜ୍ଞାପନରେ ହିଁ ସୀମିତ ରହିଛି ବୋଲି ସେ କହିଛନ୍ତି। ଚାଷ କାମରେ କୃଷକମାନେ ବ୍ୟବହାର କରୁଥିବା ଜିନିଷ ଏବେ ମହଙ୍ଗା ହୋଇଛି ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ଚାଷୀମାନେ ଏହାର ଉଚିତ୍ ଜବାବ ଦେବେ । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସମାଜବାଦୀ ସରକାର ଗଠନ ହେବା ପରେ କୃଷକମାନଙ୍କୁ ନ୍ୟାୟ ଦିଆଯିବ ବୋଲି ସେ କହିଛନ୍ତି।

Related Posts