ବାଙ୍ଗାଲୋରରେ ପହଞ୍ଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଙ୍ଗାଲୋରରେ ପହଞ୍ଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ । ରୁଷ ଓ ୟୁକ୍ରେନର ଯୁଦ୍ଧରେ ଭାରତର ଏମବିବିଏସ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇବାରେ ଲାଗିଛନ୍ତି । ସେପଟେ ମାର୍ଚ୍ଚ ୧ ତାରିଖରେ ୟୁକ୍ରେନର ଖାର୍କିବ ସହରରେ ରୁଷିଆ ସେନାର ଗୁଳିମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୋଦରଙ୍କ ମୃତ୍ୟୁ ଘଟିଥିଲା । ମୃତ ନବୀନଙ୍କର ପିତାମାତା ଦୀର୍ଘଦିନ ଧରି ପୁଅର ମର ଶରୀରକୁ ଭାରତକୁ ଫେରାଇ ଆଣିବାକୁ ଅନୁରୋଧ କରିଆସୁଥିଲେ । ଶେଷରେ ତାଙ୍କ ମରଶରୀର ବେଙ୍ଗାଲୁରରେ ପହଞ୍ଚିଛି । ସେଠାରେ ତାଙ୍କୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ୟୁକ୍ରେନ ରୁଷିଆ ଯୁଦ୍ଧରେ କର୍ଣ୍ଣାଟକର ଏମବିବିଏସ ଛାତ୍ର ନବୀନଙ୍କୁ ହରାଇଛେ । ହେଲେ ତାଙ୍କ ପାର୍ଥୀବ ଶରୀରକୁ ସ୍ୱଦେଶ ଫେରାଇ ଆଣିବାରେ କେନ୍ଦ୍ର ସରକାରଙ୍କର ସହଯୋଗକୁ ସେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ପୁଅ ଚିକିତ୍ସା କ୍ଷେତ୍ରରେ କିଛି ହାସଲ କରିବାକୁ ଚାହୁଁଥିଲା । କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା । ତା’ର ଆଶା ପୂରଣ ହୋଇପାରିଲା ନାହିଁ । ତଥାପି ଅତି କମ୍ରେ ତାହାର ଶରୀର ଚିକିତ୍ସା କ୍ଷେତ୍ରର କାମରେ ଆସିବ । ଶରୀରକୁ ବ୍ୟବହାର କରି ଅନ୍ୟ ମେଡିକାଲ ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ା ଉପରେ ଫୋକସ୍ କରିପାରିବେ । ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ପାଇଁ ମୁଁ ନବୀନର ମରଶରୀର ଦାନ କରିବା ଲାଗି ନିଷ୍ପତ୍ତି ନେଇଛି ବୋଲି ନବୀନଙ୍କ ପିତା ଶଙ୍କରପ୍ପା କହିଛନ୍ତି ।

Related Posts