ବୀରଭୂମରୁ ୫ଟି ବାଲଟିରେ ଉଦ୍ଧାର ହେଲା ଅଫୁଟା ବୋମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୀରଭୂମରୁ ୫ଟି ବାଲଟିରେ ଉଦ୍ଧାର ହେଲା ଅଫୁଟା ବୋମା । ଗୋଟିଏ ପଟେ ଏହି ହତ୍ୟାକାଣ୍ଡକୁ ନେଇ ଦେଶରେ ଚର୍ଚ୍ଚା ଥମିନଥିବାବେଳେ ଏପରି ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଚକିତ କରିଦେଇଛି । ୫ଟି ବାଲ୍ଟିରେ ପ୍ୟାକ୍ କରି ଏହି ବୋମାଗୁଡ଼ିକୁ ବୁଦା ଭିତରେ ଲୁଚାଇ ରଖାଯାଇଥିଲା। ବୀରଭୂମର ମାରଗ୍ରାମର ଏସବୁକୁ ଉଦ୍ଧାର କରାଯାଇଛି। ବୋମାଗୁଡ଼ିକୁ ନ ଫୁଟିବା ପାଇଁ ପୁଲିସ ସେ ବାଲ୍ଟିରେ ପାଣି ଓ ବାଲି ଭର୍ତ୍ତି କରିଦେଇଛି। ସେପଟେ ମାମଲା ତୀବ୍ର ହେବା ପରେ ପଶ୍ଚିମବଙ୍ଗ ସରକାର ଏହାକୁ ହାତକୁ ନେଇଛନ୍ତି। ରାଜ୍ୟରେ ଯେଉଁ ସବୁ ସ୍ଥାନରୁ ବେଆଇନ୍ ବୋମା ଓ ଗୁଳିଗୁଳା ତିଆରି ହେଉଛି ପୁଲିସ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ କରି ସେସବୁ ସିଜ୍ କରୁ ବୋଲି ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିବାରୁ ମାରଗ୍ରାମରୁ ଏହି ୫ଟି ଅଫୁଟା ବାଲ୍ଟି ବୋମା ଉଦ୍ଧାର କରିଛି। ମାରଗ୍ରାମ ବଗ୍ତୁଇ ଠାରୁ ମାତ୍ର ୧୦ କିମି ଦୂରରେ ରହିଛି। ଯେଉଁଠି ୮ ଜଣଙ୍କୁ ଜୀବନ୍ତ ପୋଡ଼ି ମାରିଦିଆଯାଇଥିଲା। ଏଥିରେ ଡେପୁଟି ପଞ୍ଚାୟତ ମୁଖ୍ୟ ଭାଦୁ ଶେଖଙ୍କର ବି ମୃତ୍ୟୁ ଘଟିଥିଲା। ମାରଗ୍ରାମ ଭଳି ପଶ୍ଚିମ ମେଦିନାପୁରର କେଶପୁରଠାରେ ମଧ୍ୟ ଅଫୁଟା ବୋମା ଜବତ କରିଛି ପୁଲିସ୍। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ପୁଣିଥରେ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts