ଆସନ୍ତା ୧୫ତାରିଖରୁ ପୁଣିଥରେ ଆରମ୍ଭ ହେବ କ୍ୟାମ୍ପକୋର୍ଟ

ଭୁବନେଶ୍ବର : ଆସନ୍ତା ୧୫ତାରିଖରୁ ପୁଣିଥରେ ରାଜ୍ୟରେ ଆରମ୍ଭ ହେବ କ୍ୟାମ୍ପକୋର୍ଟ । ରାଜସ୍ବ ସେବାକୁ ଅଧିକ ଲୋକାଭିମୁଖୀ କରିବା ଓ କ୍ରିୟାଶୀଳ କରିବା ପାଇଁ ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ କ୍ୟାମ୍ପକୋର୍ଟ କରିବାକୁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଆସନ୍ତା ୧୫ତାରିଖରୁ ଏହା ପୁଣିଥରେ ଆରମ୍ଭ ହେବ। ସବୁ ରାଜସ୍ବ ମାମଲା ପାଇଁ ଲୋକମାନଙ୍କୁ ତହସିଲ ଯିବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨/୩ଦିନ ବିଭିନ୍ନ ସେମାନଙ୍କ ଅଧୀନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବେ। ପ୍ରତିମାସରେ ପ୍ରତ୍ୟେକ ତହସିଲଦାର/ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିପାରିବେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି। ରାଜସ୍ବ ରଥ ମାଧ୍ୟମରେ ଲୋକଙ୍କ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ୍ ବଣ୍ଟାଯାଉଛି। ପ୍ରତ୍ୟେକ ଜିଲ୍ଲାରେ ରାଜସ୍ବ ସମୀକ୍ଷା ବୈଠକ ଫଳରେ ରାଜସ୍ବ ସେବାରେ ପରବିର୍ତନ ଆସିଛି। ରାଜସ୍ବ ରଥ ମାଧ୍ୟମରେ ବିଭାଗ ପକ୍ଷରୁ ପ୍ରାୟ ୧ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ତେବେ ରାଜସ୍ବ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜ୍ୟସ୍ବ ମାମଲାର ଫଇସଲା ପାଇଁ ଲୋକମାନଙ୍କୁ ତହସିଲ କାର୍ଯ୍ୟାଳୟ ଯିବାକୁ ପଡ଼ିଥାଏ। ‌ତେବେ କ୍ୟାମ୍ପକୋର୍ଟ ଜରିଆରେ ରାଜସ୍ବ ମାମଲାର ଫଇସଲା ପାଇଁ ସବୁ ଜିଲ୍ଲାପାଳ ଓ ପ୍ରତ୍ୟେକ ଉପଖଣ୍ଡର ରାଜସ୍ବ ଆୟୁକ୍ତମାନଙ୍କୁ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି। କ୍ୟାମ୍ପକୋର୍ଟ କରିବାରେ ଅବହେଳା ହେଲେ ରାଜସ୍ବ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି ।

Related Posts