
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରବିବାର ସନ୍ଧ୍ୟାରେ ଗୁଜରାଟର ଝୁଲାପୋଲ ଛିଡିବା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ନିଖୋଜ ଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପରେ ଓଡ଼ିଶାର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ଝୁଲାପୋଲକୁ ନେଇ ସଜାଗ ହୋଇଛି ପ୍ରଶାସନ। ଧବଳେଶ୍ୱର ଝୁଲାପୋଲର କ୍ଷମତାକୁ ପ୍ରଶାସନ କମାଇ ଦେଇଛି । ଏବେ ଏକକାଳୀନ ଏହି ପୋଲରେ ୨୦୦ ଯାତ୍ରୀଙ୍କୁ ଯାତାୟାତ କରିବା ନେଇ ଅନୁମତି ଦିଆଯାଇଛି । ୨୦୦ରୁ ଅଧିକ ଲୋକଙ୍କୁ ପୋଲରେ ଯିବା ନେଇ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।
ବିଶେଷଜ୍ଞ ଟିମର ଯାଞ୍ଚ ପରେ ପ୍ରଶାସନ ପକ୍ଷରୁ ଏହି କଡ଼ା ନିର୍ଦେଶ ଜାରି କରାଯାଇଛି । ବିଶେଷ କରି ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବାରୁ ଆଗକୁ ବଡ଼ଓଷା ଆସୁଛି । ଏହି ଅବସରରେ ଧବଳେଶ୍ଵର ପୀଠରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଏଥର ବଡ଼ ଓଷାରେ କେବଳ ବ୍ରତଧାରୀଙ୍କୁ ଧବଳେଶ୍ୱର ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ସାଧାରଣ ଭକ୍ତଙ୍କୁ ଧବଳେଶ୍ୱର ନ ଆସିବାକୁ ନିବେଦନ କରିଛି ପ୍ରଶାସନ । ସୂଚନା ମୁତାବକ ଗତକାଲି କୋଲକାତାର ବିଶେଷଜ୍ଞ ଟିମ୍ ଧବଳେଶ୍ୱର ଝୁଲାପୋଲର ଯାଞ୍ଚ କରିଥିଲେ । ଯାଞ୍ଚ କରିବା ପରେ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଆଜି ପ୍ରଶାସନ କଡ଼ା ନିର୍ଦେଶ ଜାରି କରିଛି ।