
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭେଣୋଇ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ରବିବାର କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ ଯାତ୍ରା’ ଦେଶରେ ଏକ ପରିବର୍ତ୍ତନ ଆଣିବ କାରଣ ହଜାର ହଜାର ଲୋକ ଏଥିରେ ଯୋଗ ଦେଉଛନ୍ତି ଏବଂ ତାଙ୍କୁ ଭବିଷ୍ୟତର ଆଶା ଭାବରେ ଦେଖୁଛନ୍ତି । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡ଼ି ସହରର ପ୍ରସିଦ୍ଧ ସାଇ ବାବା ମନ୍ଦିରରେ ଦର୍ଶନ କରିବା ଅବସରରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭଦ୍ରା ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ଆଧ୍ୟାତ୍ମିକ ନେତା ସାଇବାବାଙ୍କ ଭଳି ଅଟେ। ଉଭୟ ଏକତାର ପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି ।
‘ଭାରତ ଯୋଡ ଯାତ୍ରା’କୁ ନେଇ ଭଦ୍ରା କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଅନେକ ସ୍ଥାନକୁ ଯାଉଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ଭେଟୁଛନ୍ତି । ଲୋକମାନେ ବହୁ ସଂଖ୍ୟାରେ ତାଙ୍କ ସହ ଯୋଗ ଦେଉଛନ୍ତି । ଏହା ଭବିଷ୍ୟତରେ ପରିବର୍ତ୍ତନ ଆଣିବ। ରାହୁଲ ଏବେ ଗାନ୍ଧି ଲୋକଙ୍କ ପାଇଁ ଏକ ନୂତନ ଭରସା ଭାବରେ ଉଭା ହୋଇଛନ୍ତି ବୋଲି ସେ କହିଛନ୍ତି । କିଛି ଲୋକ କଂଗ୍ରେସ କୁ ପରିହାସ କରିବେ, କିନ୍ତୁ ରାହୁଲ, ପ୍ରିୟଙ୍କା ଅଟକିବେ ନାହିଁ । ଆମେ ଲୋକମାନଙ୍କ ସହିତ ଅଛୁ ଏବଂ ସେମାନଙ୍କ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବୁ ବୋଲି ଭଦ୍ରା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଗାନ୍ଧି ପରିବାର ସାଧାରଣ ଲୋକଙ୍କ ଠାରୁ ଅପାର ପ୍ରେମ ଲାଭ କରୁଛନ୍ତି ଏବଂ ନବ ନିର୍ବାଚିତ କଂଗ୍ରେସ ସଭାପତି (ମଲ୍ଲିକାର୍ଜୁନ ଖଡଗେ ) ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ। “ଯେଉଁମାନେ ଦଳରୁ ବିଦାୟ ନେବାକୁ ଚାହାଁନ୍ତି ସେମାନେ ଯାଇପାରନ୍ତି, କିନ୍ତୁ ଯେଉଁମାନେ ରହିଛନ୍ତି ସେମାନେ ଦଳପ୍ରତି ସୋନିଆ ଗାନ୍ଧିଙ୍କ ବଳିଦାନ, ରାହୁଲ ଓ ପ୍ରିୟଙ୍କାଙ୍କ ଉଦ୍ୟମକୁ ବୁଝିବେ ବୋଲି ସେ ଦଳ ଛାଡିବାକୁ ଚିନ୍ତା କରୁଥିବା ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସାଇ ବାବା ସମସ୍ତଙ୍କୁ ଏକତାର ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ଆମ ଦେଶ ଅନେକ ସଙ୍କଟର ସମ୍ମୁଖୀନ ହେଉଛି । ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ସାଇ ବାବାଙ୍କ ଭଳି । ସେ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଆଶା କରୁଛି ସେ ମଧ୍ୟ ସାଧୁଙ୍କ ଆଶୀର୍ବାଦ ପାଇବେ ବୋଲି ଭଦ୍ରା କହିଛନ୍ତି ।