ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ପୁଣି ଥରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କଥିତ ଦୁରୁପଯୋଗ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କୋଲକାତାରେ ଏକ କାର୍ୟ୍ୟକ୍ରମରେ ମମତା କହିଛନ୍ତି, ହତ୍ୟାକୁ ନେଇ ଦିଲ୍ଲୀ, ୟୁପି, ରାଜସ୍ଥାନ, ଆସାମ ଏବଂ ବିହାରରେ କେତେ ସିବିଆଇ ତଦନ୍ତ ହୋଇଛି ? କେତେ ଜଣ ନେତାଙ୍କୁ ଗିରଫ କରାଯାଇଛି ? ସିବିଆଇ, ଇଡିର ବ୍ୟବହାର କରି ଆପଣ ଯେତେ ବି ଷଡଯନ୍ତ୍ର ରଚିଲେ ମଧ୍ୟ ଆମକୁ ଦୁର୍ବଳ କରି ପାରିବେ ନାହିଁ ବୋଲି ମମତା କହିଛନ୍ତି।ସେ କହିଛନ୍ତି, ନାଦିଆ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଯାଞ୍ଚ ସିବିଆଇ କରିବ।
କେନ୍ଦ୍ର ସରକାର ବିଜେପି ଅଣଶାସିତ ରାଜ୍ୟରେ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ରାଜନୈତିକ ପ୍ରତିଶୋଧ ନେଉଛି। ଯେତେ ଉଦ୍ୟମ କଲେ ମଧ୍ୟ ଆମକୁ ଦୁର୍ବଳ ଭାବିବାର ଭୁଲ୍ କରିବ ନାହିଁ ବୋଲି ମମତା ଶାଣିତ ସ୍ଵରରେ କହିଛନ୍ତି। ସେପଟେ ନିକଟ ଦିନରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ ଟିଏମସି ଏବଂ ବିଜେପି ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ରାଜ୍ୟର ବୀରଭୂମରେ ୮ ଜଣଙ୍କ ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତଦନ୍ତ କରୁଛି। ଏହି ଘଟଣାକୁ ନେଇ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
