ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଯୋଗୁଁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। ଆଜି ଏ ନେଇ ସିବିଏସ୍‌ଇ ନା ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି। ସେହିପରି ଦଶମ , ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୂଲ୍ୟାଙ୍କନ କରାଯିବ ବୋଲି ସିବିଏସ୍‌ଇ କହିଛି। ଜଷ୍ଟିସ ଏମଏ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠକୁ ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ୪୦:୩୦:୩୦ ଫର୍ମୁଲା ଆଧାରରେ ମୂଲ୍ୟାଙ୍କନ କରାଯିବ । ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ମାର୍କ, ଏକାଦଶର ୩୦ ପ୍ରତିଶତ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ମାର୍କକୁ ବିଚାରକୁ ନେଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ କହିଛି । ସେହିପରି ପ୍ରାଟିକାଲ ୧୦୦ ମାର୍କ ରହିବ ଓ ବିଦ୍ୟାଳୟ ଗୁଡ଼ିକ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ମାର୍କ ଧାର୍ଯ୍ୟ କରାଯିବ ବୋଲି ସିବିଏସ୍ଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି। ସିବିଏସ୍‌ଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଯଦି କୌଣସି ଛାତ୍ରଛାତ୍ରୀ ଏହି ମୂଲ୍ୟାୟନ ପ୍ରକ୍ରିୟା ମାଧ୍ୟମରେ ପାସ୍‌ କରିପାରିବେ ନାହିଁ, ତେବେ ସେମାନଙ୍କୁ ‘ଅତ୍ୟାବଶ୍ୟକ ପୁନରାବୃତ୍ତି’ (essential repeat) କିମ୍ବା ‘କମ୍ପାର୍ଟମେଣ୍ଟ’ ବର୍ଗରେ ରଖାଯିବ। ଯଦି କୌଣସି ଛାତ୍ରଛାତ୍ରୀ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବେ ତେବେ ସେମାନେ ସିବିଏସ୍‌ଇ ଯେତେବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବ, ସେତେବେଳେ ଦେଇ ପାରିବେ ବୋଲି ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୧ ତାରିଖରେ କରୋନା ପାଇଁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରିଥିଲେ।

Related Posts