
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ଗାଜିଆବାଦର ଲୋନି ସୀମାରେ ଜଣେ ମୁସଲମାନ ବୃଦ୍ଧଙ୍କୁ ଆକ୍ରମଣ କରାଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏଆଇଏମ୍ଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଟ୍ବିଟ୍ କରିବା ସହ ଘଟଣାର ତଦନ୍ତ ଦାବି କରିଥିଲେ। ତେବେ ଏହି ଘଟଣାରେ କୌଣସି ସାମ୍ପ୍ରଦାୟିକ କାରଣ ନାହିଁ ବୋଲି ୟୁପି ପୋଲିସ ସୂଚନା ଦେଇଥିଲା। ବର୍ତ୍ତମାନ ଏହି ଘଟଣାରେ ଉତ୍ତରପ୍ରଦେଶର ଲୋନି ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଥିବା ନନ୍ଦ କିଶୋର ଗୁରୁଜର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏଆଇଏମ୍ଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଗୁରୁଜାର ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଟ୍ୱିଟ୍ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଆଘାତ କରିଛି । ତେଣୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ଲୋନି ସୀମା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସର ସୂଚନା ମୁତାବକ ଗତ ଜୁନ ୫ ତାରିଖରେ ଲୋନି ବର୍ଡରରେ ଅବଦୁଲ ସମାଦ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବନ୍ତଲାର ଅଭିଯୁକ୍ତ ପ୍ରଭେଶ ଗୁଜାରଙ୍କ ଘରକୁ ଯାଇଥିଲେ । ଅବଦୁଲ ତାବିଜ ତିଆରି କରିବା କାମ କରନ୍ତି । ତାବିଜ କୁ ନେଇ ବିବାଦ ବଢିବାରୁ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଅବଦୁଲ ସମାଦ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରାଯାଇଥିଲା ଏବଂ ସେ ନକହିବାରୁ ତାଙ୍କର ଦାଢି କାଟିଦେବା ସହ ମାଡ ମାରିଥିବା ଅଭିଯୋଗ କରି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ।