କୋଭିଡ୍ ରେ ପ୍ରାଣ ହରାଇଥିବା ୧୦୧ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ୫.୦୫ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କୋଭିଡ୍ ରେ ମୃତ୍ୟୁବରଣ କରିଥିବା ୧୦୧ ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏଥିପାଇଁ ୫.୦୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଲୋକସଭାରେ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ , ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।

ଏହି ଅଭିଯାନ ଜରିଆରେ ୨୦୨୦ ଏବଂ ୨୦୨୧ରେ ପ୍ରାଣ ହରାଇଥିବା ୧୦୧ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ବାବଦକୁ ୫.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ସଂସଦରେ କହିଛନ୍ତି। ଏହା ପୂର୍ବରୁ ସୋମବାର ସରକାର ଏ ସମ୍ପର୍କରେ ରାଜ୍ୟସଭାରେ ମଧ୍ୟ ସୂଚନା ଦେଇଥିଲେ।

ପ୍ରେସ ସୂଚନା କାର୍ଯ୍ୟାଳୟକୁ ମିଳିଥିବା ଆବେଦନ ଆଧାରରେ ଏହି ଲିଷ୍ଟ ପ୍ରସ୍ତୁତ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ସଚିବ ଅମିତ ଖରେଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ସମିତିର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

Related Posts