
ନୂଆଦିଲ୍ଲୀ:ଦେଶରେ ଚିନି ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଆଉ ବର୍ଷକ ପାଇଁ ବୃଦ୍ଧି କରିଛନ୍ତି । ଘରୋଇ ବଜାରରେ ଚିନି ଉପଲବ୍ଧତା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ବା ଆସନ୍ତାକାଲି ଏହି କଟକଣା ଅବଧି ଶେଷ ହେବାକୁ ଥିଲା । ମାତ୍ର ଏହି ବ୍ୟାନକୁ ପୁଣି ଗୋଟିଏ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଶନିବାର ଡାଇରେକ୍ଟର ଜେନେରାଲ ଅଫ୍ ଫରେନ ଟ୍ରେଡ(DGFT) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୨ ଅକ୍ଟୋବର ୩୧ରୁ ୨୦୨୩ ଅକ୍ଟୋବର ୩୧ ଯାଏଁ କଚ୍ଚା, ରିଫାଇଣ୍ଡ ଓ ଧଳା ଚିନି ରପ୍ତାନୀ ଉପରେ କଟକଣା ବୃଦ୍ଧି କରାଯାଇଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଚିନି ରପ୍ତାନୀ ବନ୍ଦ ରହିବ । ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏହି କଟକଣା ସିଏସ୍କଏଲ ଓ ଟିଆରକ୍ୟୁ କୋଟା ୟୁରୋପୀୟ ୟୁନିୟନ ଓ ଆମେରିକାକୁ କରାଯାଉଥିବା ଚିନି ରପ୍ତାନୀ ଉପରେ ଲାଗୁ ହେବ ନାହିଁ । ଅର୍ଥାତ୍ ପୂର୍ବପରି ଏହି ଦେଶଗୁଡିକୁ ରପ୍ତାନି ଜାରି ରହିବ ।
ସୂଚନାଯୋଗ୍ୟ, ଭାରତ ଚିନିର ସବୁଠୁ ବଡ ଉତ୍ପାଦନକାରୀ ଦେଶ ସହ ଦ୍ବିତୀୟ ବୃହତ୍ତମ ରପ୍ତାନୀକାରୀ ଅଟେ । ତେବେ ଚିନି ମାର୍କେଟିଂ ସିଜନ ୨୦୨୨-୨୩ରେ ଭାରତରେ ଚିନି ଉତ୍ପାଦନ ୩.୬୫ କୋଟି ଟନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯାହାକି ଗତବର୍ଷ ଠାରୁ ଦୁଇ ପ୍ରତିଶତ ଅଧିକ । ଭାରତୀୟ ଚିନି ମିଲ୍ ସଂଘ ଏହି ପୂର୍ବାନୁମାନ କରିଛି । ରପ୍ତାନୀ ସମ୍ପର୍କରେ I SMA କହିଛି ଯେ, ଚଳିତ ବର୍ଷ ଭାରତରେ ଚିନି ରପ୍ତାନୀ ସମ୍ଭାନା କମ୍ ରହିଛି । କାରଣ ୨୦୨୩ ସୁଦ୍ଧା ବ୍ରାଜିଲ ଚିନି ବିଶ୍ବ ବଜାରକୁ ପ୍ରବେଶ କରିବ । ତେବେ ଅଧିକାଂଶ ଚିନି କାରଖାନା ଚଳିତ ସିଜନରେ(ଅକ୍ଟୋବର-ସେପ୍ଟେମ୍ବର) ରପ୍ତାନୀ ପାଇଁ ଚୁକ୍ତି କରିସାରିଥିବା ଜଣାପଡିଛି ।