ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଛତିଶଗଡ଼ ବିଲାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଠାରେ ପ୍ରତିଷ୍ଠା ହେବ ସନ୍ଥକବି ଭୀମ ଭୋଇଙ୍କ ଚେୟାର । ତେବେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏନେଇ ଅନୁମତି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହିଛନ୍ତି । ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଉଚ୍ଚ ଶିକ୍ଷା ଏବଂ ଏହି ମହାନ କବିଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ । ଏହା ହିଁ ମହାନ କବି ଭୀମ ଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ । ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି ।

ଦୂରଦୃଷ୍ଟିସମ୍ପନ୍ନ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବୋତ୍ତମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।