ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଗୋଟିଏ ପଟେ ଜୋରଦାର ପ୍ରଚାର ଚାଲିଥିବା ବେଳେ ଦଳ ମଧ୍ୟରେ ପରସ୍ପର ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି କଂଗ୍ରେସ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ପଦ୍ମପୁର ଉନ୍ନତି ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଶରଦ ପଟ୍ଟନାୟକ। ୨୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ କଣ ପାଇଁ ନିର୍ବାଚନ ସମୟରେ ପଦ୍ମପୁରକୁ ଜିଳ୍ଲା କରିବାକୁ ଘୋଷଣା କରିଛନ୍ତି ବୋଲି ଶରଦ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଜିଲ୍ଲା ଘୋଷଣା ନେଇ ଶରତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ କହିଲେ। ହେଲେ ଚଳିତ ବିଧାନସଭାରେ ତାଙ୍କର ମନ୍ତ୍ରୀ ଭିନ୍ନ କଥା କହୁଛନ୍ତି। ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହୁଛନ୍ତି କୌଣସି ଜିଲ୍ଲା ଘୋଷଣା ନେଇ ପ୍ରସ୍ତାବ ନାହିଁ। ତାହେଲେ ମୁଖ୍ୟମନ୍ତ୍ରୀ ନା ମନ୍ତ୍ରୀ କିଏ ଠିକ୍ କହୁଛନ୍ତି। ନିର୍ବାଚନ ଆସିବାରୁ ଏସବୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି ଆଉ ଲୋକେ ଏହାରି ଭିତରେ ପେଷି ହେଉଯାଇଛନ୍ତି ବୋଲି ଶରତ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଚାଷୀ ମାନଙ୍କ ପାଇଁ ବହୁ ଘୋଷଣା କରିଥିଲେ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ କରାଯିବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ହେଲେ ଏବେ ବି ପଦ୍ମପୁରରେ ଚାଷୀ ହତାଶ ହୋଇ ବସିଛି । ଠିକ୍ ନିର୍ବାଚନ ସମୟ ଆସିଲା ସମୟରେ ଚାଷୀଙ୍କ କଥା ମନେପଡୁଛି । କ୍ଷମତାରେ ରହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏହିସବୁ କଥା କହୁଛି ସରକାର । ରେଲୱେ ଲାଇନ୍ କ୍ଷେତ୍ରରେ ବି ସମାନ କଥା । ବରଗଡରୁ ଭାୟା ପଦ୍ମପୁର ହୋଇ ନୂଆପଡା ଯିବା କଥା । ଏତେ ଦିନ ହେଲା ପ୍ରୋଜେକ୍ଟ ପଡି ରହିଛି । କେବଳ ଚାଷୀ ମାନଙ୍କୁୁ ହଇରାଣ କରିନାହାନ୍ତି , ଆଦିବାସୀ ଦଳିତ ପଛୁଆ ମାନଙ୍କ ପାଇଁ ସରକାର କିଛି କରିପାରିନାହାନ୍ତି । ସାରା ଓଡ଼ିଶାରେ ୧୬ ଲକ୍ଷ ଓଳିଏ ଖାଇବାକୁ ପାଉନାହାନ୍ତି । ହେଲେ ଏହି ଅବସ୍ଥାରେ ଓଡ଼ିଶାକୁ ରଖିଥିବା ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ବ୍ୟୟବହୁଳ ମିଟିଂ କରିଛନ୍ତି ତାର ସଠିକ୍ ଜବାବ ସଠିକ ସମୟରେ ଲୋକେ ଦେବେ ।

ପ୍ରତି ନିର୍ବାଚନ ପୂର୍ବରୁ ଏମଓୟୁ ସାଇନ୍ ମଧ୍ୟ ହେବାରେ ଲାଗିଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଶିଳ୍ପ ସଂସ୍ଥା ହୋଇପାରିଲାନାହଁ । ଯୁବକଙ୍କୁ ଚାକିରୀରୁ ନେଇ ମହିଳାଙ୍କୁ ସମ୍ମାନ ଦେବା କଥା ହେଉ କି ଆଇନଶୃଙ୍ଖଳା ପରିସ୍ଥତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଫେଲ୍ ମାରିଛନ୍ତି ସରକାର । ଏହି ସବୁ ମିଥ୍ୟା ପ୍ରତିଶ୍ରୁତିରେ ସାଧାରଣ ଲୋକେ ପେଷି ହେଉଯାଇଛନ୍ତି ।