ଶରଦ ପାୱାରଙ୍କ ନେତୃତ୍ୱରେ ବିରୋଧୀ ଦଳଙ୍କ ବୈଠକ ପୂର୍ବରୁ ଆସିଲା ସ୍ପଷ୍ଟୀକରଣ – “ଏହା ତୃତୀୟ ସାମ୍ମୁଖ୍ୟ ବୈଠକ ନୁହେଁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ଓ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଚେକ୍ ଦେବା ପାଇଁ ବିରୋଧୀ ଦଳମାନେ ଏକାଠି ହୋଇ ରଣକୌଶଳ ପ୍ରସ୍ତୁତ ଯୋଜନା ଆରମ୍ଭ କରିଦେଇଛନ୍ତି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ବିଜେପିର ପୂର୍ବତନ ନେତା ତଥା ନିକଟରେ ଟିଏମ୍‌ସିରେ ଯୋଗ ଦେଇଥିବା ଯଶୱନ୍ତ ସିହ୍ନା ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛନ୍ତି। ଯଶୱନ୍ତ ସିହ୍ନାଙ୍କ ଦ୍ବାରା ୨୦୧୮ରେ ଗଠିତ ରାଷ୍ଟ୍ରମଞ୍ଚ ପକ୍ଷରୁ ଏହି ନିମନ୍ତ୍ରଣ ପଠାଯାଇଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ବିଜେପିକୁ ଚେକ୍ ଦେବା ପାଇଁ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ କଳ୍ପନା ଜଳ୍ପନାର ହେଉଥିବା ବେଳେ ବୈଠକର କିଛି ସମୟ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ “ତୃତୀୟ ସାମ୍ମୁଖ୍ୟ” ଏହି ବୈଠକ ଆୟୋଜନ କରାଯାଇ ନାହିଁ। ଏହି ବୈଠକ ସହ ଜଡିତ ଥିବା ନେତା ମାନେ ସ୍ପଷ୍ଟ କରିଛନ୍ତି ଯେ 2024 ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସହିତ ଲଢିବା ପାଇଁ ତୃତୀୟ ଫ୍ରଣ୍ଟ ଗଠନ କରିବାକୁ ଏହି ବୈଠକ ଡକା ଯାଇ ନାହିଁ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ନେତା ଯଶବନ୍ତ ସିହ୍ନା ସୋମବାର ସନ୍ଧ୍ୟାରେ ଟୁଇଟ୍ କରି କହିଛନ୍ତି ଯେ ଏନସିପି ନେତା ଶରଦ ପାୱାର ରାଷ୍ଟ୍ରମଞ୍ଚର ଏକ ବୈଠକ କରିବେ। ସିହ୍ନା କହିଛନ୍ତି, ” ମଙ୍ଗଳବାର ଅପରାହ୍ନ ୪ ଟାରେ ଆମେ ରାଷ୍ଟ୍ରିୟ ମଞ୍ଚର ଏକ ବୈଠକ କରିବୁ। ଶରଦ ପାୱାର ତାଙ୍କ ଘରେ ଏହି ସଭା ଆୟୋଜନ କରିବାକୁ ରାଜି ହୋଇଛନ୍ତି।” ରାଜନେତାଙ୍କ ବ୍ୟତୀତ “ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି” ମାନଙ୍କୁ ଏହି ସଭାକୁ ନିମନ୍ତ୍ରଣ କରାଯାଇଛି। ଏନସିପି ନେତା ନବାବ ମଲିକ କହିଛନ୍ତି ଯେ ବରିଷ୍ଠ ଆଡଭୋକେଟ କେଟିଏସ ତୁଳସୀ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୱାଇ କୁରେଶି, ପୂର୍ବତନ କୂଟନୀତିଜ୍ଞ କେସି ସିଂ, ଗୀତିକାର ଜାଭେଦ ଅଖତର, ଚଳଚ୍ଚିତ୍ର ନିର୍ମାତା ପ୍ରୀତିଶ ନନ୍ଦୀ, ବରିଷ୍ଠ ଆଡଭୋକେଟ କଲିନ ଗୋନସ୍ଲେଭସ, ପତ୍ରକାର କରଣ ଥାପର ଏବଂ ଆଶୁତୋଷ ଏହି ବୈଠକକୁ ନିମନ୍ତ୍ରିତ ହୋଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଶବନ୍ତ ସିହ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ର ମଞ୍ଚ ବ୍ୟାନରରେ ଶରଦ ପାୱାରଙ୍କର ଏକ ବୈଠକ ରହିଛି। କିନ୍ତୁ ଏହା ଦେଶର ସମସ୍ତ ବିରୋଧୀ ଦଳର ଏକ ବୈଠକ ନୁହେଁ ବୋଲି ସେ କହିଛନ୍ତି । କାରଣ ଏହି ବୈଠକରେ ଶିବସେନା, ସମାଜବାଦୀ ପାର୍ଟି, ବିଏସପି, ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ବିରୋଧୀ ଦଳ ଗୁଡ଼ିକ ସାମିଲ ନାହାଁନ୍ତି। ହୁଏତ ବିରୋଧୀଙ୍କୁ ଏକାଠି କରିବା ପାଇଁ ଏହା ହେଉଛି ଆରମ୍ଭ । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି ଯେ ବିଜେପି ବିରୋଧରେ ତୃତୀୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ଗଠନ ଏକ ନିଷ୍ଫଳ ଉଦ୍ୟମ ।

Related Posts