କୋଭିଡ୍-19 ଉପରେ ଶ୍ବେତ ପତ୍ର ଜାରି କଲେ ରାହୁଲ ଗାନ୍ଧୀ – ” ସମ୍ଭବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ୪ଟି ପ୍ରସ୍ତାବ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମୁକାବିଲା ପ୍ରସ୍ତୁତିକୁ ନେଇ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ପ୍ରେସ୍ ବାର୍ତ୍ତାରେ ସେ କୋଭିଡ୍-19 ଉପରେ ଏକ ଶ୍ବେତ ପତ୍ର ଜାରି କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି, “କଂଗ୍ରେସ ଦଳ ଦ୍ୱାରା କରୋନାର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। କୋଭିଡ ମହାମାରୀ ସମସ୍ତଙ୍କୁ ଯନ୍ତ୍ରଣା ଦେଇଛି, ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ତେଣୁ କଂଗ୍ରେସ ପାର୍ଟି ପକ୍ଷରୁ ଏକ ଶ୍ବେତ ପତ୍ର ପ୍ରସ୍ତୁତ କରାଯିଇଛି , ଏହାର ଲକ୍ଷ୍ୟ କେବଳ ସରକାରଙ୍କୁ ସତର୍କ କରାଇବା ଏବଂ ସାହାଯ୍ୟ କରିବା। କୋଭିଡ୍ ପରିଚାଳନାରେ ସରକାରଙ୍କୁ ସଠିକ୍ ରାସ୍ତା ଦେଖାଇବା ।” ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଲୁହ ନୁହେଁ ବରଂ ଅକ୍ସିଜେନ ଉପଲବ୍ଧ ହେଲେ ଲୋକଙ୍କ ଜୀବନ ରକ୍ଷା ହୋଇ ପାରିବ। ରାହୁଲ ଗାନ୍ଧୀ ଶ୍ବେତ ପତ୍ର ଜାରି କରି ମୋଦୀ ସରକାରଙ୍କ ଅପାରଗତାକୁ ବର୍ଣ୍ଣନା କରି କହିଛନ୍ତି, ” ଭାରତରେ ଦ୍ୱିତୀୟ ଲହର ଆସିବା ପୂର୍ବରୁ ଆମ ଦେଶର ବୈଜ୍ଞାନିକ ଏବଂ ଡାକ୍ତରମାନେ ଏ ସମ୍ପର୍କରେ ସତର୍କ କରାଇଥିଲେ । କିନ୍ତୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନଥିଲେ । ଏବେ ସମଗ୍ର ଦେଶ ଜାଣିଛି ଯେ ଆଗକୁ ତୃତୀୟ ଲହର ଆସିବାକୁ ଯାଉଛି। ସେଥିପାଇଁ ଆମେ ପୁଣିଥରେ କହୁଛୁ ଯେ ସରକାର ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବା ଉଚିତ୍। ହସ୍ପିଟାଲରେ ବେଡ୍, ଭିତ୍ତିଭୂମି, ଅମ୍ଳଜାନ, ଔଷଧ ଇତ୍ୟାଦି ଯାହା ଦ୍ୱିତୀୟ ତରଙ୍ଗରେ ସୁବିଧା କରାଯାଇପାରି ନଥିଲା, ସେଗୁଡିକ ତୃତୀୟ ଲହର ଆସିବା ପୂର୍ବରୁ ପ୍ରସ୍ତୁତ କରିବା ଉଚିତ ।”

ରାହୁଲ ଗାନ୍ଧୀ ତାଙ୍କ ଶ୍ବେତ ପତ୍ର ମାଧ୍ୟମରେ ଚାରୋଟି ପରାମର୍ଶ ଦେଇଛନ୍ତି।

୧ – ଦ୍ୱିତୀୟ ଲହରରେ କରାଯାଇଥିବା ଭୁଲକୁ ସଂଶୋଧନ କରନ୍ତୁ ।
୨ – ତୃତୀୟ ଲହର ପାଇଁ ଆଗୁଆ ଅମ୍ଳଜାନ, ଡାକ୍ତରଖାନାରେ ଶଯ୍ୟା ଏବଂ ଔଷଧ ଇତ୍ୟାଦି ପ୍ରସ୍ତୁତ ରଖିବା ଉଚିତ।
୩ – ସରକାର ଅର୍ଥନୀତି ଉପରେ କାମ କରନ୍ତୁ ।
୪- ଆମେ “ନ୍ୟାୟ ଯୋଜନା” ଲାଗୁ କରନ୍ତୁ । ପ୍ରଧାନମନ୍ତ୍ରୀ ଚାହିଁଲେ ଏହାର ନାମ ବଦଳାଇ ପାରିବେ , କିନ୍ତୁ ଗରୀବ ଲୋକଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ଆବଶ୍ୟକତା ରହିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଟୀକାକରଣ ଉପରେ ସରକାର ରାଜ୍ୟ ସରକାର, କଂଗ୍ରେସ ଓ ବିଜେପି ଭିତରେ ଭେଦଭାବ ନକରି ସମସ୍ତଙ୍କୁ ଟୀକାକରଣ କରିବା ଆବଶ୍ୟକ। ଏହାପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ କରୋନା ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାରେ କେନ୍ଦ୍ର ସରକାରଙ୍କ ଅସମର୍ଥତାକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ। ରାହୁଲ ଗାନ୍ଧୀ ସୋମବାର ଟୁଇଟ୍ କରି କହିଛନ୍ତି, ଜୀବନରେ ମୂଲ୍ୟ ଦେବା ଅସମ୍ଭବ । ସରକାରୀ କ୍ଷତିପୂରଣ କେବଳ ଏକ ଛୋଟ ସାହାଯ୍ୟ ମାତ୍ର କିନ୍ତୁ ମୋଦୀ ସରକାର ତାହା ମଧ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଯୋଗ ଦିବସରେ ମଧ୍ୟ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଏହା ହେଉଛି ଯୋଗ ଦିବସ, ଯୋଗ ନାମରେ ଲୁଚିବାର ଦିନ ନୁହେଁ।

Related Posts