ସାମୁଦ୍ରିକ ବାତ୍ୟା ଅସାନି ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ୧୩ ତାରିଖ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାମୁଦ୍ରିକ ବାତ୍ୟା ଅସାନି ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ୧୩ ତାରିଖ ଯାଏ ପ୍ରବଳ ବର୍ଷିବ । ଏହା ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହି ସମୁଦ୍ର ଭିତରେ ଥାଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ‘ଅସାନି’ର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ ତାରଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଅନୁଭୂତ ହେବ। ଏପରିକି ଏହି ସମୟ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ୧୦ ଓ ୧୧ ତାରିଖରେ ରାଜ୍ୟର ମାଲକାନାଗିରି, କୋରାପୁଟ, ଗଜପତି, ଗଂଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୧ ଓ ୧୨ ତାରିଖରେ ରାଜ୍ୟର ଗଜପତି, ଗଂଜାମ, ପୁରୀ ଏବଂ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

Related Posts