
ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆଉ ମାତ୍ର କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାର ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି । ହୋଶିଆରପୁରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପଞ୍ଜାବ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାଇଚାରା, ଶାନ୍ତି ଏବଂ ଏକତା। କଂଗ୍ରେସ ଦଳ ଏଥିପାଇଁ ମରିବାକୁ ପ୍ରସ୍ତୁତ। ସେପଟେ ପଞ୍ଜାବ ବିଷୟରେ ଆମ ଆଦମି ପାର୍ଟି କିଛି ଜାଣି ନାହିଁ । ତେଣୁ ସେ ପଞ୍ଜାବ ଚଳାଇବାକୁ ସକ୍ଷମ ନୁହଁନ୍ତି। ପଞ୍ଜାବରେ ଶାନ୍ତି ବଜାୟ ରଖିବା ଏବଂ ଏହାକୁ ଏକ ଗୁରୁତର ବିଷୟ ବୋଲି ରାହୁଲ ଗାନ୍ଧୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି। କେବଳ ଏତିକି ନୁହେଁ କୃଷକମାନଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ କୃଷକମାନଙ୍କର ପରିଶ୍ରମର ଫଳକୁ ଦେଶର ଦୁଇ-ତିନି ଆରବପତିଙ୍କୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା କରିଥିଲେ ।
ତିନୋଟି କୃଷି ଆଇନକୁ ବିରୋଧ କରି କୃଷକମାନେ କରୋନା କାଳରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ । କୃଷକମାନଙ୍କ ଆନ୍ଦୋଳନ ଦେଶବ୍ୟାପୀ ହେବାର ଦେଖି ପ୍ରଧାନମନ୍ତ୍ରୀ ଶେଷରେ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିନେଇଥିଲେ । କଂଗ୍ରେସ ପ୍ରଥମରୁ ହିଁ ଚାଷୀଙ୍କ ସହ ଛିଡ଼ା ହୋଇଥିଲା । ଗୋଟିଏ ବର୍ଷ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଲ ହୋଇଯାଇଛି । ଏକ ବର୍ଷ ଧରି ସେ ଭାରତର ଚାଷୀଙ୍କ ସହ କଥାବାର୍ତ୍ତା କରିନଥିଲେ। ୭୦୦ କୃଷକ ସହିଦ ହୋଇଥିଲେ। ସଂସଦରେ ମୁଁ ଶହୀଦ ଚାଷୀଙ୍କ ପାଇଁ ଦୁଇ ମିନିଟ ନୀରବ ରହିବା ପାଇଁ କହିଥିଲି, କିନ୍ତୁ ମୋତେ ସମୟ ଦିଆଯାଇନଥିଲା । ଯଦି କେନ୍ଦ୍ର ସରକାରଙ୍କ ଭୁଲ ହୋଇଯାଇଛି, ତାହାଲେ ସହିଦ ୭୦୦ କୃଷକମାନଙ୍କୁ କାହିଁକି କ୍ଷତିପୂରଣ ଦିଆଯାଉ ନାହିଁ । କେବଳ କଂଗ୍ରେସ ରାଜ୍ୟ ସରକାର ଚାଷୀମାନଙ୍କର କ୍ଷତିପୂରଣ ଦେଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।