ମୋତେ ହତ୍ୟା କରିବାକୁ ଚାଲିଛି ଷଡଯନ୍ତ୍ର, ମୁଁ ଜାଣିଛି କେଉଁମାନେ ଏହି ଷଡ଼ଯନ୍ତ୍ର କରୁଛନ୍ତି; ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷମତା ବଦଳିବା ପରେ ମଧ୍ୟ ରାଜନୈତିକ ଦୃଶ୍ୟପଟରେ ସ୍ଥିରତା ଆସିନାହିଁ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିଜର ଜୀବନ ପ୍ରତି ବିପଦ ରହିଥିବା କଥା ଗଣମାଧ୍ୟମକୁ କହିଛନ୍ତି । ମୋ ଜୀବନ ପ୍ରତି ବିପଦ ଅଛି | ‘ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି | ତେବେ କିଏ ମୋତେ ମାରିବା ପାଇଁ ଷଡଯନ୍ତ୍ର କରୁଛି ସେନେଇ ମୋତେ ସବୁ କିଛି ଜଣା | ପାକିସ୍ତାନ ଓ ପାକିସ୍ତାନ ବାହାରେ ଏହି ଷଡ଼ଯନ୍ତ୍ର ଚାଲିଛି।’

ଶନିବାର ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏ କଥା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ସେ କହିଛନ୍ତି, ମୋତେ ହତ୍ୟା କରିବାକୁ ଚାଲିଥିବା ଷଡ଼ଯନ୍ତ୍ର ବିଷୟରେ ମୁଁ ଅବଗତ ଅଛି। ମୁଁ ଜାଣିଛି କେଉଁମାନେ ଏହି ଷଡ଼ଯନ୍ତ୍ର କରୁଛନ୍ତି। ମୁଁ ଏକ ଭିଡିଓ ରେକର୍ଡ କରିଛି। ଏଥିରେ ମୁଁ ସେହି ସମସ୍ତ ଷଡ଼ଯନ୍ତ୍ରକାରୀଙ୍କ ନାଁ କହିଛି। ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଉକ୍ତ ଭିଡିଓକୁ ସାର୍ବଜନୀନ କରି ଦିଆଯିବ।

ଗତ ମାସରେ କ୍ଷମତାଚ୍ୟୁତ ହେବା ପୂର୍ବରୁ ମଧ୍ୟ ଇମ୍ରାନ ଖାନ୍ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଗତ ମାସରେ ଅନାସ୍ଥା ପ୍ରସ୍ତାବ ଦ୍ୱାରା ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। ଏହା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ କରିଥିଲେ।

ଗାଦିଚ୍ୟୁତ ହେବା ପରେ ଇମ୍ରାନ ପାକିସ୍ତାନର ବିଭିନ୍ନ ସ୍ଥାନରେ ସାଧାରଣ ସଭା କରି ବର୍ତ୍ତମାନର ସରକାର ବିଶ୍ୱାସଘାତକ ଓ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି।

Related Posts