(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି। ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି । ଏ ସମ୍ପର୍କିତ କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ , ଟ୍ବିଟର ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ ମେ’ ୨୫ ତାରିଖ ସମସ୍ତ ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ ନୂଆ ଆଇଟି ନିୟମ ଅନୁପାଳନ କରିବାକୁ କହିଥିଲା। ଆରମ୍ଭରୁ ଟ୍ୱିଟର ଏହି ନିୟମ ମାନିବାକୁ ନେଇ ବିବାଦ ଉପୁଜିଥିଲା। ହେଲେ ସରକାରଙ୍କ କଡା ଆଭିମୁଖ୍ୟ ପରେ ବାଧ୍ୟ ହୋଇ ଟ୍ୱିଟର ଏସବୁ ନିୟମକୁ ମାନି ନେଇଛି।
କେନ୍ଦ୍ର ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ (ASG) ଚେତନ ଶର୍ମା କହିଛନ୍ତି ଯେ ଟ୍ୱିଟର ମୁଖ୍ୟ ଅନୁପାଳନ ଅଧିକାରୀ, ରେସିଡେଣ୍ଟାଲ୍ ଅଭିଯୋଗ ଅଧିକାରୀ ଏବଂ ନୋଡାଲ୍ କଣ୍ଟାକ୍ଟ ପର୍ସନ୍ ନିଯୁକ୍ତ କରିଛି। କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ପାଳନ ନକରିବା ବିରୋଧରେ ଜଷ୍ଟିସ ରେଖା ପଲ୍ଲୀ ଟୁଇଟର ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରିଥିଲେ।
ଟ୍ୱିଟର ଶୁକ୍ରବାର ଦିନ ହାଇକୋର୍ଟଙ୍କୁ ସୂଚନା ଦେଇଛି ଯେ ଅଗଷ୍ଟ ୪ ରେ ଜଣେ Permanent Grievance Officer (RGO), Chief Compliance Officer (CCO) ଏବଂ ଜଣେ ନୋଡାଲ ଅଧିକାରୀଙ୍କୁ (NCO) ସ୍ଥାୟୀ ନିଯୁକ୍ତି ଦେଇଛି। ଟ୍ୱିଟର ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ସାଜନ ପୋଭାୟା କୋର୍ଟଙ୍କୁ କହିଛନ୍ତି ଯେ ନିଯୁକ୍ତ ସ୍ଥାୟୀ ଅଧିକାରୀମାନେ ସିଧାସଳଖ ଆମେରିକାର ଟ୍ବିଟର ଅଫସକୁ ରିପୋର୍ଟ କରିବେ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ ରେ ହେବ।
ଏହାପୂର୍ବରୁ କୋର୍ଟ ଟ୍ୱିଟର ଦ୍ବାରା ଜାରି ଆଫିଡେଭିଟ୍ ଉପରେ ଆପତ୍ତି ଜଣାଇ କହିଥିଲେ ଯେ କମ୍ପାନୀ ଅଧିକାରୀଙ୍କ ନିଯୁକ୍ତି ମାମଲାରେ ଖାମଖିଆଲି ମନୋଭାବ ପୋଷଣ କରୁଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ୨୬ ମଇରେ ନୂତନ ଆଇଟି ନିୟମ ଲାଗୁ ହେବା ପରଠାରୁ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏହି ନିୟମ ପାଳନ କରିନଥିବାରୁ ସରକାର ଟ୍ବିଟରକୁ ଖୋଲାଖୋଲି ସମାଲୋଚନା କରିଥିଲେ। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି କମ୍ପାନୀ ସରକାରଙ୍କ ନିୟମଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି। ପୂର୍ବରୁ ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ ନୂଆ ନିୟମ ମାନିବାକୁ ଅମଙ୍ଗ ହେଉଥିଲା ମାଇକ୍ରୋ ବ୍ଲଗିଂ କମ୍ପାମୀ ଟ୍ୱିଟର ।