ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ କରୋନା ଟିକା : ଜେ ପି ନଡ୍ଡା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ତେବେ ଦେଶରେ ଟିକାର ଅଭାବ ଯୋଗୁଁ ହିତାଧିକାରୀଙ୍କୁ ଠିକ୍‌ ସମୟରେ ଟିକା ଦିଆଯାଇପାରୁ ନାହିଁ। ଏପରିକି ପ୍ରଥମ ଡୋଜ୍‌ ଟିକା ନେଇ ଲକ୍ଷ ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ ନେବା ପାଇଁ ଅପେକ୍ଷାରେ ଅଛନ୍ତି। ସେହିପରି ୧୮ରୁ ୪୪ବର୍ଷର ନାଗରିକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାରମାନେ ଟିକା ବରାଦ କରୁଥିବାବେଳେ କମ୍ପାନୀଗୁଡିକ ଯୋଗାଣ ନେଇ ଅସମର୍ଥ ପ୍ରକାଶ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡିକର ଆବଶ୍ୟକତା ମୁତାବକ ଟିକା ଯୋଗାଇ ପାରୁନାହାନ୍ତି। ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି ଯେ ଡିସେମ୍ବର ସୁଦ୍ଧା ଦେଶର ସମସ୍ତଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ । ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା ଏବଂ ରାଜ୍ୟର ସାଂସଦଙ୍କ ସହ ଭର୍ଚୁଆଲ କୋଭିଡ୍ ସ୍ଥିତି ସମୀକ୍ଷା ଅବସରରେ ସେ ଏହି ବୟାନ ଦେଇଛନ୍ତି। ନାଡ୍ଡା କହିଛନ୍ତି ଯେ କୋଭିଡ୍ ର ଦ୍ଵିତୀୟ ଲହର ଆସିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ମାସରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସତର୍କ କରାଇଥିଲେ। ସେ କହିଛନ୍ତି, “ଭାରତ ନଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦୁଇଟି ସ୍ୱଦେଶୀ ଟିକା ବିକଶିତ କରିଛି। ବର୍ତ୍ତମାନ ସୁଦ୍ଧା ୧୮ କୋଟି ଭାରତୀୟଙ୍କୁ ଟିକା ଦିଆଯାଇଛି। ଡିସେମ୍ବର ଶେଷ ସୁଦ୍ଧା ଏହି ଟିକା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ଏବଂ ଏଥିପାଇଁ କ୍ୟାଲେଣ୍ଡର ସ୍ଥିର ହୋଇଛି।” ନାଡା କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଅମ୍ଳଜାନ ଏବଂ ଔଷଧର ଉପଲବ୍ଧତା ତଥା ଯୋଗାଣ ସୁନିଶ୍ଚିତ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମହାମାରୀ ସମୟରେ ମଧ୍ୟ କଂଗ୍ରେସ ଦେଶରେ ଅରାଜକତା ବିସ୍ତାର କରିବାକୁ ଚେଷ୍ଟା କରୁଛି ଏବଂ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।

Related Posts