କୋଭିଡ୍ ରେ ମା-ଵାପାଙ୍କୁ ହରାଇଥିବା ପିଲାଙ୍କୁ କୋଟାରେ ମାଗଣା କୋଚିଂ ମିଳିବ : ବାଚସ୍ପତି ଓମ୍ ବିର୍ଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ଭାରତରେ ତାଣ୍ଡବ ରଚୁଛି । ସଂକ୍ରମଣ ବୃଦ୍ଧି ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହା ମଧ୍ୟରେ ଅନେକ ତାଙ୍କ ପିତା ମାତାଙ୍କୁ ମହାମାରୀରେ ହରାଉଛନ୍ତି। ଏହି ଅନଥା ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଵିଭିନ୍ନ ରାଜ୍ୟ ସରକାର ମାଗଣା ଶିକ୍ଷା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପିତା ମାତା କିମ୍ବା ପରିବାରର ରୋଜଗାର କରୁଥିବା ଏକମାତ୍ର ସଦସ୍ୟ ଯଦି କରୋନାରେ ପ୍ରାଣ ହରାଇଥାନ୍ତି ତେବେ ସେମାନଙ୍କୁ କୋଟାରେ ମାଗଣା କୋଚିଂ ସାଙ୍ଗକୁ ରହିବାର ବ୍ୟବସ୍ଥା ମଧ୍ୟ କରାଯିବ। ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଘୋଷଣା କରିଛନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରସ୍ତୁତି ପାଇଁ କୋଟା ହେଉଛି ଦେଶର ଏକ ପ୍ରମୁଖ କୋଚିଂ ହବ୍ । ତେବେ କରୋନାରେ ନିଜର ବାପା ମା ଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ସାହାଯ୍ୟ କରିବା ପାଇଁ  କୋଟା ର ବିଭିନ୍ନ କୋଚିଂ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ସହ ସାସଂଦ ତଥା ଲୋକସଭା ବାଚସ୍ପତି ଓମ ବିର୍ଲା ଏକ ବୈଠକ କରିଥିଲେ।

ଏହି ବୈଠକରେ ସେ କୋଚିଂ ପ୍ରତିଷ୍ଠାନର ନିର୍ଦ୍ଦେଶକ ମାନଙ୍କୁ ଏହି ସଙ୍କଟ ସମୟରେ ଅସହାୟ ପିଲାମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ଦେଢ ରୁ ଦୁଇ ଲକ୍ଷ ଛାତ୍ରଛାତ୍ରୀ କୋଟା ଯାଇ ଆଇଆଇଟି JEE କିମ୍ବା NEET ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଇଥାନ୍ତି। ତେବେ ଲୋକସଭା ବାଚସ୍ପତିଙ୍କ ଅନୁରୋଧ କ୍ରମେ ଅନାଥ ପିଲା ମାନଙ୍କୁ ମାଗଣା କୋଚିଂ, ରହିବା ଏବଂ ଖାଦ୍ୟ ଯୋଗାଇଦେବାକୁ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ମାନେ ସହମତି ପ୍ରକାଶ କରିଛନ୍ତି। ଆଲେନ୍ କ୍ୟାରିଅର୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ନବୀନ ମହେଶ୍ୱରୀ ମଧ୍ୟ ଘୋଷଣା କରିଛନ୍ତି ଯେ କୋଭିଡ -19 ମହାମାରୀ ଦ୍ୱାରା ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ତାଙ୍କ ଅନୁଷ୍ଠାନ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଲିଫ ପାଣ୍ଠି ଗଠନ କରିବ। ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ, ଦିଲ୍ଲୀ, ଛତିଶଗଡ ଏବଂ ଓଡିଶା ସରକାର କୋଭିଡ ମହାମାରୀରେ ପିତାମାତାଙ୍କୁ ହରାଇଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ସାଙ୍ଗକୁ ଷ୍ଟାଇପେଣ୍ଡ ପ୍ରଦାନ କରିବେ। 

Related Posts